ନ୍ୟାୟ ପାଇଁ ଅଫିସର୍‌ଙ୍କ ଗୋଡ଼ ଧରିଲା କୁନି ଝିଅ

ଭୁବନେଶ୍ୱର: ନିହତ ଝିଅକୁ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୃଦ୍ଧା ମାର ଧାରଣା। ଏପରିକି ଅଫିସରଙ୍କ ଗୋଡ଼ ଧରି ପରିବାର ଲୋକେ ନ୍ୟାୟ ପାଇଁ ନେହୁରା ହେବାର ଦୃଶ୍ୟ ଆସିଛି ସାମ୍ନାକୁ। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଧାରଣା ଦେବା ସହ ଏଭଳି ଭାବେ ନ୍ୟାୟ ପାଇଁ ନେହୁରା ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବରୁଆଁର ଏକ ପରିବାର।

ଅଭିଯୋଗରୁ ଜଣାପଡ଼ିଛି ଯେ, ଜିଲ୍ଲାର ନିକିରାଇପାଟଣାର ନାରାୟଣ ଥାଟୋଇଙ୍କ ବଡ ପୁଅ ପ୍ରଦ୍ୟୁମ୍ନଙ୍କୁ ଗତ ୫ ବର୍ଷ ତଳେ ବିବାହ କରିଥିଲେ ବରୁଆଁ ଗାଁର ସସ୍ମିତା ପରିଡା। କିନ୍ତୁ ବିବାହ ପରଠୁ ସ୍ୱାମୀ, ଶାଶୁ ଓ ଶ୍ୱଶୁର ବାରମ୍ବାର ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ଶେଷରେ ଗତ ନଭେମ୍ବର ୧୩ରେ ଝିଅକୁ ତଣ୍ଟି ଚିପି ସ୍ୱାମୀ ପ୍ରଦ୍ୟୁମ୍ନ, ଶାଶୁ, ଶ୍ୱଶୁର, ଦିଅର ଓ ନଣନ୍ଦ ମାରିଦେଇ ସସ୍ମିତାଙ୍କ ପାଟିରେ ବିଷ ପୁରାଇ ବିଷ ଖାଇ ମରିଛି ବୋଲି ଦର୍ଶାଇଥିଲେ ବୋଲି ଅଭିଯୋଗ କରିଛନ୍ତି ସସ୍ମିତାଙ୍କ ମା।

ତେବେ ଅଭିଯୋଗ କ୍ରମେ ସସ୍ମିତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ନିକିରାଇ ପୋଲିସ। କିନ୍ତୁ ଶାଶୁ, ଶ୍ୱଶୁର, ଦିଅର ଓ ନଣନ୍ଦଙ୍କୁ ଏଯାଏଁ ପୋଲିସ ଗିରଫ କରିନି। ପ୍ରତିବାଦରେ ପରିବାର ଲୋକ ଧାରଣାରେ ବସିଥିଲେ। ତେବେ ବୁଝାସୁଝା କରିବାକୁ ଆସିଥିବାବେଳେ ମୃତ ସସ୍ମିତାଙ୍କ ସାନ ଭଉଣୀ ଅତିରିକ୍ତ ଜିଲ୍ଲାପାଳଙ୍କ ଗୋଡ ଧରି ନ୍ୟାୟ ଭିକ୍ଷା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପରେ ସେମାନେ ଧାରଣାରୁ ଉଠିଥିବା ସୂଚନା ମିଳିଛି।

You might also like