ମହଙ୍ଗା ପଡିଲା ମାଟ୍ରିମନୀରେ ମିଛ ପ୍ରୋଫାଇଲ୍ ଦେଇ ବିବାହ ଉଦ୍ୟମ

ଭୁବନେଶ୍ୱର : ମହଙ୍ଗା ପଡିଲା ମାଟ୍ରିମନୀରେ ମିଛ ପରିଚୟ ଦେଇ ଯୁବତୀଙ୍କୁ ବିବାହ ଉଦ୍ୟମ। ଭୁବନେଶ୍ୱର ନୟାପଲ୍ଲୀ ପୁଲିସ ଦ୍ୱାରା ଯୁବକ ଗିରଫ। ତାଙ୍କ ନାଁ ବିରଞ୍ଚି ନାରାୟଣ ନାଥ। ଘର ଭୁବନେଶ୍ୱର ନୟାପଲ୍ଲୀ ସାଲିଆ ସାହିରେ। ସେ ଏକ ମାଟ୍ରୋମୋନୀ ସାଇଟ୍‌ରେ ନିଜକୁ ଦିଲ୍ଲୀ AIIMSର ଡାକ୍ତର କହି ପ୍ରୋଫାଇଲ୍ ତିଆରି କରିଥିଲେ।

ଏହା ଦେଖି ବାଲେଶ୍ୱର ଅଂଚଳର ଜଣେ ପ୍ରଫେସର ତାଙ୍କ ଡାକ୍ତରୀ ଝିଅ ପାଇଁ ଯୋଗାଯୋଗ କରିଥିଲେ। କିନ୍ତୁ ସଂପୃକ୍ତ ଯୁବକ ବିଷୟରେ ପଚାରିବା ପରେ ଯୁବକ ଜଣଙ୍କ ଏମ୍‌ସରେ ଡାକ୍ତର ନଥିବା ଜାଣିପାରିଥିଲେ। ଏହାପରେ ପୁଣି ଥରେ ଯୁବକ ଜଣଙ୍କ ନିଜକୁ ଆଇଏଏସ୍ ଅଫିସର ଓ ନିଜ ନା ବଦଳାଇ ସେହି ମାଟ୍ରିମନୀରେ ଦେଇଥିଲେ।

ପରେ ସେ ପୁଣିଥରେ ସଂପୃକ୍ତ ପ୍ରଫେସରଙ୍କ ଝିଅ ସହ ଯୋଗାଯୋଗ କରିଥିଲେ। ତେବେ ଯୁବକ ଜଣଙ୍କ ପୁଣିଥରେ ଧରାପଡିଯାଇଥିଲେ। ବାରମ୍ବାର ଏଭଳି ଘଟଣା ଘଟିବା ପରେ ପରିବାର ଲୋକ ଯୋଜନା ମୁତାବକ ଯୁବକଙ୍କୁ ଭୁବନେଶ୍ୱରର ଏକ ଦାମି ହୋଟେଲକୁ କଥାବାର୍ତ୍ତା ପାଇଁ ଡାକିଥିଲେ। ପରେ ପୁଲିସରେ ଜିମା ଦେଇଥିଲେ। ଯୁବକ ଜଣଙ୍କ ଜଣେ ନୁହେଁ ଏକାଧିକ ଝିଅଙ୍କ ସହ ହ୍ୱାଟ୍ସ ଆପ୍ ଓ ଫୋନ୍‌ରେ ଏଭଳି ଯୋଗାଯୋଗ କରି ଠକୁଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଯୁବକ ଜଣଙ୍କ ବିବାହିତ ଓ ତାଙ୍କ ଦୁଇଟି ସନ୍ତାନ ଥିବା ଜଣାପଡିଛି।

You might also like