ଯେଉଁ ପ୍ଲାନ୍ରେ ଲୋକଙ୍କୁ ଠକୁଥିଲେ, ସେଇ ପ୍ଲାନ୍ରେ ନିଜେ ଫସିଗଲେ
ଭୁବନେଶ୍ୱର: ଯେଉଁ ପ୍ଲାନ୍ରେ ଲୋକଙ୍କୁ ଠକୁଥିଲେ, ସେଇ ପ୍ଲାନ୍ରେ ଫସିଗଲେ ଯୁବକ। ଲୋନ୍ କରାଇ ଦେବା ନାଁରେ ଲୋକଙ୍କୁ ଠକୁଥିବା ଜଣେ ନକଲି ସାମ୍ବାଦିକଙ୍କୁ ସହିଦ ନଗର ପୋଲିସ୍ ଗତକାଲି ଗିରଫ କରିଛି। ସମ୍ପୃକ୍ତ ଯୁବକ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ନିଜକୁ ସାମ୍ବାଦିକ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ। ଏଥିରେ ତାଙ୍କୁ ୨ ଜଣ ଯୁବତୀ ମଧ୍ୟ ସାହାଯ୍ୟ କରୁଥିଲେ। ସେମାନେ ମଧ୍ୟ ଲୋକଙ୍କୁ ଠକୁଥିଲେ। ହେଲେ ସେମାନଙ୍କର ଏହି ଠକାମି ଶେଷରେ ଧରାପଡ଼ି ଯାଇଥିଲା।
ସୂଚନା ଅନୁସାରେ, ୪୦ ହଜାର ଟଙ୍କା ଋଣ କରିଦେବାକୁ କହି ଯୁବକ ଜଣକ କିଛି ମହିଳାଙ୍କ ନିକଟରୁ ୩ ହଜାର ଟଙ୍କା ଲେଖାଏ ନେଇଥିଲେ। ହେଲେ ଯୁବକ ଜଣକ ନା ଲୋନ୍ କରାଇ ଦେଇଥିଲେ ନା ଟଙ୍କା ଫେରାଇ ଥିଲେ। ଏପରିକି ନିଜକୁ ସାମ୍ବାଦିକ ପରିଚୟ ଦେଇ ଧମକଚମକ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଯୁବକଙ୍କର ଏଭଳି କାର୍ଯ୍ୟକଳାପ ଦେଖି ଏକ ନୂଆ ନମ୍ବରରେ ଲୋକମାନେ ଫୋନ୍ କରିଥିଲେ ଓ ନୂଆ ଲୋନ୍ କରିବା କଥା କହିଥିଲେ। ଶେଷରେ ଯୁବକ ଜଣକ ଆସିଥିଲେ। ଏହି ସମୟରେ ଲୋକମାନେ ଧରି ତାଙ୍କୁ ପୋଲିସ୍ ଜିମା ଦେଇଥିଲେ।
ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ‘ଲୋନ୍ କରାଇ ଦେବେ ବୋଲି କହି ଆମଠୁ ୩ ହଜାର ଟଙ୍କା ଲେଖାଏ ନେଇଥିଲେ ଓ ୧୦ ଦିନ ପରେ ଲୋନ୍ ଦେବେ ବୋଲି କହିଥିଲେ। ହେଲେ ୩ ମାସ ବିତି ଯାଇଥିଲେ ସୁଦ୍ଧା ଲୋନ୍ ଦେଇ ନଥିଲେ। ଫୋନ୍ କଲେ କହୁଥିଲେ, ଆମେ ସେହି ସାର୍ ନୁହଁ। ଶେଷରେ ନୂଆ ଲୋନ୍ ନେବା କହି ଆମେ ଫୋନ୍ କରି ତାଙ୍କୁ ଡାକିଥିଲୁ। ସେ ଆସିବା ପରେ ତାଙ୍କୁ ଧରି ପୋଲିସ୍ ଜିମା ଦେଇଥିଲୁ’।
ଆହୁରି ପଢନ୍ତୁ : ପ୍ରଥମେ ନେଇଗଲେ, ପରେ ଚାକିରି ଫେରାଇଲେ ସରକାର