ସାରାଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ

ଗଜପତି: ଗଜପତି ଜିଲ୍ଲାର ପୂର୍ବତନ ଏସପି ତଥା ବର୍ତ୍ତମାନର ସମ୍ବଲପୁର ଜିଲ୍ଲା ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ଫେକ ଫେସବୁକ୍ ଆକାଉଣ୍ଟ। ସାରା ନିଜେ ପୁର୍ବରୁ କେବଳ ଗୋଟିଏ ଫେସବୁକ୍ ଆକାଉଣ୍ଟ ବ୍ୟବହାର କରି ଆସୁଥିବା ବେଳେ ବର୍ତ୍ତମାନ କେହି ଦୁର୍ବୃତ୍ତ ତାଙ୍କା ନାଁରେ ଫେକ ଫେସବୁକ୍ ଆକାଉଣ୍ଟ ଖୋଲିଛି।

ଏହି ଫେସବୁକ୍ ଆକାଉଣ୍ଟରୁ ଫ୍ରେଣ୍ଡ୍ ରିକେଷ୍ଟ ଆସିଲେ ଗ୍ରହଣ ନକରିବା ଏବଂ କେହି ତାଙ୍କ ନାଁରେ ଟଙ୍କା ମାଗିଲେ ନଦେବାକୁ ଅନୁରୋଧ କରିଛନ୍ତି ସାରା ଶର୍ମା। ସାରା ଶର୍ମା ଗଜପତି ଜିଲ୍ଲାର ଏସପି ଭାବେ କାର୍ଯ୍ୟରତ ଥିବବେଳେ ବହୁ ଲୋକପ୍ରିୟ ହୋଇଥିଲେ। ଏବେ ସମ୍ୱଲପୁର ଭିଜିଲାନ୍ସ ଏସପି ଭାବେ କାର୍ଯ୍ୟରତ ଅଛନ୍ତି।

ଅନ୍ୟ ଠାରୁ ଲୁଟିବା ପାଇଁ ସାଇବର ଅପରାଧୀ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ଏପରିକି ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ଫେକ୍ ଆକାଉଣ୍ଟ ଖୋଲି ଅନ୍ୟମାନଙ୍କୁ ଧମକାଇବା, ଲାଞ୍ଚ ମାଗିବା ନଜିର ଆସିଛି।

  • ଆଇଏଏସ୍ ସମର୍ଥ ବର୍ମା:-

ନଭେମ୍ବର ୨୭,୨୦୨୦: ଆଇଏଏସ୍ ସମର୍ଥ ବର୍ମାଙ୍କ ନାଁରେ ଫେକ୍ ଆକାଉଣ୍ଟ୍ ନେଇ ଅଭିଯୋଗ ହୋଇଥିଲା। ସେତେବେଳେ ସେ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ଥିଲେ। କେହି ଦୁବୃର୍ତ୍ତ ଜିଲ୍ଲାପାଳଙ୍କ ନାଁରେ ଫେସ୍‌ବୁକ୍‌ରେ ଏହି ଫେକ୍ ଆକାଉଣ୍ଟ୍ ଖୋଲି ଏହାକୁ ପରିଚାଳନା କରୁଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଆକାଉଣ୍ଟ୍‌ରେ ପ୍ରୋଫାଇଲ୍‌ ପିକ୍‌ଚର୍‌ରେ ସମର୍ଥ ବର୍ମାଙ୍କ ଏକ ଫଟୋ ଥିବା ଦେଖିବାକୁ ମିଳିଥିଲା। ଦୁର୍ବୃତ୍ତ ଜଣଙ୍କ ଏହାର ଅପବ୍ୟବହାର କରୁଥାଇପାରେ ବୋଲି ସମର୍ଥ ଆଶଙ୍କା କରିଥିଲେ।

  • ଆଇଏଏସ୍ ନିଖିଲ ପବନ କଲ୍ୟାଣ

ଅକ୍ଟୋବର ୧୨, ୨୦୧୯: ନିଖିଲ ପବନ କଲ୍ୟାଣଙ୍କ ନାଁରେ ଫେସବୁକ୍‌ରେ ଫେକ୍ ଆକାଉଣ୍ଟ ହୋଇଥିଲା। ସେତେବେଳେ ସେ ସୁନ୍ଦରଗଡ଼ର ଜିଲ୍ଲାପାଳ ଥିଲେ। ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇବା ପରେ କେହି ଦୁର୍ବୃତ୍ତ ଲାଞ୍ଚ ମାଗୁଥିଲା। ଏହା ଫେକ୍ ଆକାଉଣ୍ଟ, ଏଥିରେ ନ ପଡ଼ିବାକୁ ଜିଲ୍ଲାପାଳ ନିଖିଲ ନିବେଦନ କରିଥିଲେ।

  • ଆଇଏଏସ୍ ଅନୁପ ସାହୁ

ଅକ୍ଟୋବର ୧୧,୨୦୨୦: ଆଇପିଏସ୍ ଅଫିସର ଅନୁପ ସାହୁଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲାଯାଇଥିଲା। ଏନେଇ ଡିଆଇଜି ଅନୁପ ସାହୁ ଖୋଦ୍‌ ଏହି ସୂଚନା ଦେଇଥିଲେ। କେହି ଦୁର୍ବୃତ୍ତ ଫେସବୁକରେ ଏହି ଫେକ୍ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଥିଲା। ଏହି ଆକାଉଣ୍ଟର ପ୍ରୋଫାଇଲରେ ୟୁନିଫର୍ମରେ ଥିବା ଅନୁପଙ୍କ ଫଟୋ ମଧ୍ୟ ଅପଲୋଡ୍ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଆକାଉଣ୍ଟର ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଆସିଲେ ଗ୍ରହଣ ନ କରିବାକୁ ଅନୁପ ସାହୁ ଅନୁରୋଧ କରିଥିଲେ।

 

 

You might also like