ନକଲି ଘିଅ, ପନିର ପରେ ଏବେ ସର୍ଫ ବି ବାହାରିଲା ନକଲି

ସମ୍ବଲପୁର(ସଞ୍ଜୟ କୁମାର ଜେନା): ନକଲି ଘିଅ, ତେଲ, ପନିର, ଜର୍ଦ୍ଦା ପରେ ଏବେ ଲୁଗା ସଫା ପାଉଡର୍ ଅର୍ଥାତ୍‌ ସର୍ଫ ବି ବାହାରିଲା ନକଲି। ଗତକାଲି ସମ୍ବଲପୁର ବରେଇପାଲି ନୂଆପଡ଼ା ଅଞ୍ଚଳର ଏକ ଡିଟର୍‌ଜେଣ୍ଟ ଗୋଦାମରେ ପୋଲିସ ଚଢାଉ କରି ୨୩୯ ବସ୍ତା ସର୍ଫ ଜବତ କରିଛି। ନାମୀଦାମୀ ବ୍ରାଣ୍ଡ୍‌ ସହ ନକଲି ବ୍ରାଣ୍ଡ୍‌କୁ ଏକାଠି କରି ରଖାଯାଇଥିବା ସନ୍ଦେହରେ କ୍ଷେତରାଜପୁର ଓ ଅଇଁଠାପାଲି ପୋଲିସ୍ ଚଢାଉ କରିଥିଲା।

ପ୍ରଥମେ  କ୍ଷେତରାଜପୁର ଅଞ୍ଚଳର  ଏକ ଦୋକାନରେ ରେଡ୍‌ ସମୟରେ ୫ ବସ୍ତା ନକଲି ଲୁଗା ସଫା ପାଉଡର୍ ଜବତ ହୋଇଥିଲା। ଏହାପରେ ସମ୍ପୃକ୍ତ ଦୋକାନୀଙ୍କ ସୂଚନା ଆଧାରରେ ଗୋଦାମ ଉପରେ ଚଢାଉ କରିଥିଲା ପୋଲିସ୍‌।

ଗୋଦାମରେ ଗଚ୍ଛିତ ଥିବା ୨୩୯ ବସ୍ତା ଲୁଗା ସଫା ପାଉଡର୍‌ରୁ କିଛି ବସ୍ତାକୁ ପରୀକ୍ଷା ପାଇଁ ପଠାଯାଇଥିଲା। ପରୀକ୍ଷା ପରେ ଗୋଦାମରେ ନକଲି ଡିଟର୍‌ଜେଣ୍ଟ ପାଉଡ଼ର ଥିବା ଜଣାପଡ଼ିଥିଲା।

କପି ରାଇଟ୍ ନିୟମ ଉଲଂଘନ ଅଭିଯୋଗରେ ୨ଟି ପୃଥକ୍ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାସହ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚରା କରୁଛି। ଜବତ ସର୍ଫ ଗୁଡିକୁ ପୁଣି ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡ଼ିବ।

ସୂଚନାଥାଉ କି, କିଛିଦିନ ତଳେ କଟକରେ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଥିଲା। କଟକ ସଦର ଥାନା ପୋଲିସ ଏହି ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ କରିଥିଲା। କଟକ ସଦର ଥାନା ଅନ୍ତର୍ଗତ ସାସୋଳ ଗାଁରେ ଚଢାଉ କରି ପୋଲିସ ଏହି ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ କରିଥିଲା। କାରଖାନାରୁ ୪ କ୍ୱିଣ୍ଟାଲରୁ ଅଧିକ ନିମ୍ନମାନର ଗୁଣ୍ଡି ସହ କେମିକାଲ ଜବତ ହୋଇଥିବା ବେଳେ ବହୁ ନାମୀଦାମୀ କମ୍ପାନୀର ପ୍ୟାକିଂ ଓ ଲୋଗୋ ମଧ୍ୟ ଜବତ କରାଯାଇଥିଲା।

You might also like