ପ୍ରେମିକାଙ୍କୁ ଆକ୍ରମଣ ପରେ ନିଜକୁ ହାଣିଲେ ପ୍ରେମିକ

ଯାଜପୁର(ଗୁଲାମ ଗସ୍‌) :  ଯାଜପୁର ଜିଲ୍ଲାରେ ପ୍ରେମରେ ଅସଫଳ ଜଣେ ପ୍ରେମିକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ନିଜଠୁ ଅଧିକ ଭଲ ପାଉଥିବା ପ୍ରେମିକାକୁ ପ୍ରଥମେ  ଯୁବକଜଣକ ଭୁଜାଲିରେ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ପରେ ଏଥିରେ ଅନୁତପ୍ତ ହୋଇ ନିଜକୁ ମଧ୍ୟ ଭୁଜାଲିରେ ହାଣି ପକାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନନ୍ତର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବନ୍ଧଢିହ ଗାଁରେ

ଗ୍ରାମର ଗଣେଶ୍ୱର ସାହୁ ସେହି ଗାଁର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ହେବ ପ୍ରେମ କରୁଥିଲେ । ହେଲେ କ୍ରମଶଃ ଏହି ଘଟଣା ପ୍ରଚାରିତ ହେବା ପରେ ଗାଁ ଲୋକେ ଟାହିଟାପରା କଲେ। ଏହା ଜାଣିବା ପରେ ୨ ପରିବାର ମଧ୍ୟରେ ତିକ୍ତତା ବଢିବାକୁ ଲାଗିଲା ।

ଆଜି ଗଣେଶ୍ୱର ପ୍ରେମିକାକୁ ଗାଁ ନିକଟସ୍ଥ ମନ୍ଦିରକୁ ଡାକିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଉତ୍ତ୍ୟକ୍ତ ଗଣେଶ୍ୱର ଭୁଜାଲିରେ ପ୍ରେମିକାଙ୍କୁ ବାରମ୍ବାର  ଆକ୍ରମଣ କରିଥିଲେ। ଏହାପରେ ନିଜକୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଧର୍ମଶାଳା ଥାନାରେ ଏକ ମାମଲା ରୁଜୁ ହୋଇଛି ।

You might also like