ଆଜିଠୁ ଲକ୍‌ଡାଉନ୍‌ ୩.୦: କେଉଁ ଜୋନ୍‌ରେ କ’ଣ କୋହଳ ? କାହା ଉପରେ କଟକଣା ? ଜାଣନ୍ତୁ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଲାଗୁ ହୋଇଥିବା କଟକଣାଠୁ ଏହି ପର୍ଯ୍ୟାୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆସନ୍ତା ମେ’୧୭ ଯାଏ ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ତେବେ ଆଗକୁ ଲକ୍‌ଡାଉନ୍‌ ବୃଦ୍ଧି ପାଇବ ନା ନାହିଁ ତା’ହା ସ୍ଥିତିର ସମୀକ୍ଷା ପରେ ନିଆଯିବ।

ରେଡ୍ ଜୋନ୍‌ରେ ଅର୍ଥାତ୍ ଅଧିକ ସଂକ୍ରମଣ ଥିବା ସ୍ଥାନରେ ପୂର୍ବପରି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ଅରେଞ୍ଜ ଜୋନ୍‌ରେ ଟାକ୍ସି ଚାଲି ପାରିବ। ଟାକ୍ସି ଓ ଅନ୍‌ଲାଇନ୍‌ କ୍ୟାବ୍ ସେବା ପାଇଁ ଅନୁମତି ମିଳିଛି। ତେବେ କ୍ୟାବ୍‌ରେ ଡ୍ରାଇଭରଙ୍କ ସମେତ ୨ଜଣ ଯାତ୍ରୀ ଯିବା ପାଇଁ ଅନୁମତି ଦିଆଯାଇଛି। ଚାରି ଚକିଆ ଗାଡ଼ିରେ ବି ଡ୍ରାଇଭରଙ୍କୁ ଛାଡ଼ି ୨ଜଣ ଯାତ୍ରୀ ଯାତ୍ରା କରିପାରିବେ। ସେହିପରି ୨ ଚକିଆ ଯାନରେ ଚାଳକଙ୍କ ସହ ଆଉ ଜଣେ ଯାଇ ପାରିବେ। ତେବେ ବିମାନ, ରେଳ ଓ ବସ୍ ଚଳାଚଳ ଉପରେ କଟକଣା ଲାଗିଛି। ଅରେଞ୍ଜ ଜୋନ୍‌ରେ ସ୍ପା, ସେଲୁନ ଖୋଲିବ। ଯଦି ଆବଶ୍ୟକୀୟ ଅନୁମତି ଥାଏ ତେବେ ଆନ୍ତଃଜିଲ୍ଲାକୁ ମଧ୍ୟ ଯାତାୟାତ କରି ହେବ। ଅନ୍ୟ ସବୁ କାର୍ଯ୍ୟ ଉପରେ କଟକଣା ନାହିଁ।

ତେବେ ଗ୍ରୀନ୍‌ ଜୋନ୍‌ରେ ଅନେକ କଟକଣା କୋହଳ ହୋଇଥିଲେ ବି ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଗ୍ରୀନ୍ ଜୋନ୍‌ରେ ଚାଲି ପାରିବନି ବସ୍। ଜିଲ୍ଲା ଭିତରେ କିମ୍ବା ଜିଲ୍ଲା ବାହାରକୁ ବି ବସ୍ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପୂର୍ବରୁ କେନ୍ଦ୍ରର ଗାଇଡ୍‌ଲାଇନ୍‌ ଅନୁସାରେ ୫୦ ପ୍ରତିଶତ ଯାତ୍ରୀ ସହ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିଷେଧ କରିଛନ୍ତି।

You might also like