ସିନେମା କାହାଣୀଠୁ କମ୍ ନୁହେଁ ହାଇଦରର କଳା କାହାଣୀ : ରିକ୍ସା ଚାଳକରୁ ପାଲିଟିଗଲା ରକ୍ତର ହୋଲି ଖେଳୁଥିବା ସଇତାନ୍

ଦିନେ ଟିଟୋ ଓ ସୁଲେମାନର ସହଯୋଗୀ ଥିଲା, ପରେ ନିଜେ ଆରମ୍ଭ କରିଥିଲା ଅପରାଧର ବିରାଟ ସାମ୍ରାଜ୍ୟ, ୧୬ ବର୍ଷ ଜେଲରେ ରହିବା ପରେ ମେଡିକାଲରୁ ଫେରାର୍

କଟକ : ଫେରାର୍ ହୋଇ ପୋଲିସକୁ ନାକେଦମ୍ କରିଦେଇଥିବା ଗ୍ୟାଙ୍ଗଷ୍ଟର୍ ହାଇଦରର ଅପରାଧିକ ତାଲିକା ବେଶ୍ ଲମ୍ବା  ।  ଅପରାଧ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଯେତେବେଳେ ଜଣେ ସାଧାରଣ ଟ୍ରଲି ଚାଳକ ଥିଲା, ଆଉ ସେତେବେଳେ ବି ଥିଲା ତାର ବେଶ୍ ଖାତିର ।

କେନ୍ଦ୍ରାପଡ଼ାର ଟଲି ରିକ୍ସା ଚାଳକରୁ ରକ୍ତର ହୋଲି ଖେଳୁଥିବା ସଇତାନ୍ । ସିନେମାର କାହାଣୀଠୁ କିଛି କମ ନୁହେଁ, ଶେଖ୍ ହାଇଦରର କଳା କ୍ୟାରିୟର୍ । ୧୯୭୫ ବେଳକୁ କେନ୍ଦ୍ରାପଡ଼ାରେ ଟଲି ରିକ୍ସା ପରେ ଟ୍ରେକର୍ ଓ ଟ୍ରକ୍ ଚଳାଉଥିବା ହାଇଦର୍ ୧୯୯୭-୯୮ ବେଳକୁ ଦୁର୍ଦ୍ଦାନ୍ତ ଅପରାଧୀ ପାଲଟିସାରିଥିଲା । ଚୋରି, ରାହାଜାନି, ଗୁଣ୍ଡାଗର୍ଦ୍ଦି, ହାଇେଓ୍ୱ ଡକାୟତି, ବ୍ୟାଙ୍କ ଡକାୟତି, ଟେଣ୍ଡର୍ ଫିକ୍ସିଂ ଓ ହତ୍ୟା । ଏମିତି ଏମିତି ବଢ଼ି ବଢ଼ି ଚାଲିଥିଲା ତାର ଦୌରାତ୍ମ୍ୟ ।

ସେତେବେଳେ ଅନ୍ୟତମ ଗ୍ୟାଙ୍ଗଷ୍ଟର ରବିନ୍ ବେହେରା ନିୟନ୍ତ୍ରଣରେ ଥିବା ଗୋବରୀ ନଦୀ ବାଉଁଶ ପୋଲରୁ ଆଦାୟ ଟଙ୍କାକୁ ନେଇ ଗଣ୍ଡଗୋଳ ହେବାରୁ, ରବିନକୁ ରାସ୍ତାରୁ ସଫା କରିବାକୁ ହାଇଦରକୁ ନିଜ ଗୋଷ୍ଠୀରେ ସାମିଲ କରିଥିଲେ ଟିଟୋ ଓ ସୁଲେମାନ୍ । ତେବେ ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଉପୁଜିବାରୁ ୧୯୯୮ରେ ଟିଟୋଠୁ ଅଲଗା ହୋଇଯାଇଥିଲେ ସୁଲେମାନ ଓ ହାଇଦର୍  । ଏବଂ ୨୦୦୨ରେ ସୁଲେମାନ୍ ଓ ହାଇଦର୍ ଭିତରେ ବି ଫାଟ ଦେଖାଦେଇଥିଲା । ଫଳରେ ବାରମ୍ବାର ଗ୍ୟାଙ୍ଗ୍ଓ୍ୱାର୍ ହୋଇ ରକ୍ତ ବୋହିଥିଲା, ମୁଣ୍ଡ ଗଡ଼ିଥିଲା  ।

ସୁଲେମାନକୁ ୨୦୦୯ରେ ତାକୁ ହତ୍ୟା କରାଯିବା ପରେ, ସେଠାରେ ଏବେ ତାଲା ଝୁଲୁଛି ତେବେ । ସୁଲେମାନ୍ ଯେତେବେଳେ ଏକ ହତ୍ୟା ମାମଲାରେ ନୟାଗଡ଼ ଜେଲରେ ଥିଲା, ସେତେବେଳେ ସୁଲେମାନ୍ ଗ୍ୟାଙ୍ଗର ମୂଳପୋଛ କରିବା ପାଇଁ ଟିଟୋ ସହ ପୁଣି ହାତ ମିଳାଇଥିଲା ହାଇଦର୍ । ସୁଲେମାନର ଟେଣ୍ଡର୍ କାରବାର ସମ୍ଭାଳୁଥିଲା ବଡ଼ ଭାଇ ଚୁନା ଓରଫ୍ ମଲ୍ଲିକ୍ ଅବଦୁଲ୍ ହଲାଲକୁ ୨୦୦୫ରେ ଭୁବନେଶ୍ୱର ଷ୍ଟୁଆଟ୍ ସ୍କୁଲ ନିକଟରେ ଗୁଳି କରି ହତ୍ୟା କରିଥିଲେ ହାଇଦର ସହଯୋଗୀ । ପୂର୍ବ ଯୋଜନା ମୁତାବକ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହାଇଦର୍ ଓ ତାର ୬ ସହଯୋଗୀ । ସମ୍ବଲପୁର ଓ ଭିଲାଇ ଦେଇ ମହାରାଷ୍ଟ୍ର ନାଗପୁରରେ ଲୁଚିଥିଲେ । ତେବେ ତତ୍କାଳୀନ ସିଟି ଡିଏସପି ଶରତ ସାହୁଙ୍କ ସମେତ ବଛାବଛା ୧୧ଜଣ ଅଫିସରଙ୍କୁ ନେଇ ଗଠିତ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟିମ୍ ବହୁ ଛାନଭିନ୍ ପରେ, ନାଗପୁରରୁ ହାଇଦର୍ ଓ ତାର ୬ ସହଯୋଗୀଙ୍କୁ ଧରିବାରେ ସଫଳ ହୋଇଥିଲା । ୨୦୦୫ ଜୁନ୍ ୮ରେ ଓଡ଼ିଶାରେ ପହଞ୍ଚିଥିଲା ହାଇଦର୍ ।

ଚୁନା ମର୍ଡର୍ କେସରେ ଜେଲ୍ ଭିତରେ ଥାଇ ବି ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ଷଡ଼ଯନ୍ତ୍ର କରିଥିଲା ହାଇଦର୍ । ରଶ୍ମିରଞ୍ଜନଙ୍କୁ ପ୍ରଥମେ ଭୁବନେଶ୍ୱର ଡକାଇ ଅପହରଣ କରାଯାଇଥିଲା ଏବଂ ମୁଣ୍ଡଜାମିନ ବାବଦରେ ୨ କୋଟି ଟଙ୍କା ଦାବି କରାଯାଇଥିଲା । ହେଲେ କିଛି ଦିନ ପରେ ଝାଡ଼ଖଣ୍ଡରୁ ମିଳିଥିଲା ତାଙ୍କ ଗଳିତ ମୃତଦେହ । ସେତେବେଳେ ଚୁନା ହତ୍ୟାମାମଲାରେ ସଜ୍ଜା କାଟୁଥିବା ହାଇଦରକୁ ପୁଣି ସଜା ହୋଇଥିଲା । ଦୀର୍ଘ ୧୬ ବର୍ଷ ଧରି ଜେଲର ଚାରିକାନ୍ଥ ଭିତରେ ବନ୍ଦୀ ଥିବା ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଗତ ଶନିବାର ପୁଣି ଫେରାର୍ ହୋଇଯାଇଛି

You might also like