ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ ଅସ୍କାର ଦୌଡ଼ରେ ସାମିଲ ହେବା ଖବର ମିଛ
ଭୁବନେଶ୍ୱର: ଅସ୍କାର ପୁରସ୍କାର ତାଲିକାରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ ସାମିଲ ହେବା ନେଇ ଯେଉଁ ଦାବି ହୋଇଥିଲା ତାହା ମିଛ ବୋଲି ପ୍ରମାଣିତ ହୋଇଛି। ଖୋଦ୍ ଫିଲ୍ମର ନିର୍ମାତା ନୀଳମାଧବ ପଣ୍ଡା ଟ୍ୱିଟ୍ କରି ସମସ୍ତଙ୍କୁ କାଲିର ଅତୀତ ଅସ୍କାରର ସାଧାରଣ ବର୍ଗର ବିଭିନ୍ନ ପୁରସ୍କାର ତାଲିକାରେ ସାମିଲ ହୋଇଥିବା ସୂଚନା ଦେଇଥିଲେ। ଏହା ଇଣ୍ଟର୍ନେଟ୍ରେ ଭାଇରାଲ ହେବା ପରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଟ୍ୱିଟ୍ କର ନୀଳମାଧବ ପଣ୍ଡା ଓ ତାଙ୍କ ଟିମ୍କୁ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ବାସ୍ତବରେ ନୀଳମାଧବଙ୍କର ଏହି ଦାବି ଧୂଆଁବାଣ ବୋଲି ଜଣାପଡ଼ିଛି।
ଫେବ୍ରୁଆରୀ ୧୯ ତାରିଖରେ ନୀଳମାଧବ ଟ୍ୱିଟ୍ କରି କହିଥିଲେ “ ଚ୍ୟାଲେଞ୍ଜିଂ ବର୍ଷରେ ଖୁସୀ ହେବା ଭଳି ଗୋଟିଏ ଖବର ଆସିଛି। କାଲିର ଅତୀତ ଫିଲ୍ମ ଅସ୍କାରର ସାଧାରଣ ବର୍ଗରେ ସାମିଲ ହୋଇଛି। ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଅନ୍ୟ ପୁରସ୍କାର ତାଲିକାରେ ମଧ୍ୟ ଏହି ଫିଲ୍ମ ରହିଛି। ଆକାଡେମୀକ ସ୍କ୍ରିନିଂ ପାଇଁ ମଧ୍ୟ ଏହା ଉପଲବ୍ଧ ହେବ। ସମସ୍ତଙ୍କ ପାଖରେ ମୁଁ ଋଣୀ। ”
ଏହାପରେ ରାଜ୍ୟ ଓ ଦେଶର ଅନେକ ଗଣମାଧ୍ୟମ ନୀଳମାଧବଙ୍କ ଏହି ଟ୍ୱିଟ୍କୁ ନେଇ ‘କାଲିର ଅତୀତ’ ଫିଲ୍ମ ଅସ୍କାର ଦୌଡ଼ରେ ସାମିଲ୍ ହୋଇଛି ବୋଲି ଖବର ପ୍ରକାଶ କରିଥିଲେ। ଚାରିଆଡ଼େ ଏହି ଖବର ପ୍ରଚାରିତ ହୋଇଥିଲା। କିନ୍ତୁ ପରେ ଏହା ମିଥ୍ୟା ବୋଲି ପ୍ରମାଣିତ ହୋଇଛି।
In a year full of challenges, feel extremely happy to announce #KaliraAtita has made its entry into the Oscar race in general entry category 4 best picture, Best Actor, Best Director & many other categories. It’s being made available for academy screening, Grateful to everyone 🙏 pic.twitter.com/r5U5taf36p
— Nila Madhab PANDA ନୀଳମାଧବ ପଣ୍ଡା (@nilamadhabpanda) February 19, 2021
ତେବେ ନୀଳମାଧବ ବେଶ୍ ଚତୁରତାର ସହିତ ଅର୍ଦ୍ଧ ସତ୍ୟକୁ ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଥିଲେ। ପ୍ରକୃତ କଥା ହେଉଛି, ବିଶ୍ୱର ଯେକୌଣସି ଫିଲ୍ମ ଅସ୍କାର ଦୌଡ଼ରେ ସାମିଲ ହେବା ପାଇଁ ଆବେଦନ କରିପାରିବେ। ଏଥିପାଇଁ କିଛି ନିୟମ ଓ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବାକୁ ପଡ଼ିଥାଏ। ଫିଲ୍ମର ପଞ୍ଜୀକରଣ ହୋଇଯିବା ଅର୍ଥ ନୁହେଁ ଯେ ଅସ୍କାର କମିଟି ଏହାକୁ ପୁରସ୍କାର ଦୌଡ଼ରେ ସାମିଲ କରିଦେଲା।
ତେବେ ଆକାଡେମି ପୁରସ୍କାର ଜିତିବା ସ୍ତରର ଫିଲ୍ମକୁ ହିଁ କମିଟି ଚୂଡ଼ାନ୍ତ ତାଲିକାରେ ସାମିଲ କରିଥାଏ। ନୀଳମାଧବଙ୍କ ‘କାଲିର ଅତୀତ’ରେ ଏଭଳି କୌଣସି ଘଟଣା ଘଟି ନାହିଁ। ତଥାପି ସେ କାଲିର ଅତୀତ ପୁରସ୍କାର ଦୌଡ଼ରେ ସାମିଲ୍ ହୋଇଛି ବୋଲି କହି ଲୋକଙ୍କୁ ଭ୍ରମିତ କରିଥିଲେ। ଅସ୍କାର ପୁରସ୍କାର ପାଇବା ତାଲିକାରେ କାଲିର ଅତୀତ ସାମିଲ ହୋଇନାହିଁ। କେବଳ କିଛି ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦେଇ ଏହାକୁ ସାଧାରଣ ବର୍ଗରେ ପଞ୍ଜିକୃତ କରାଯାଇଛି।
ପାଠକଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ ଭାରତର ଏକମାତ୍ର ଫିଲ୍ମ ଜାଲିକଟୁ ହିଁ ୨୦୨୦-୨୧ ବର୍ଷ ପାଇଁ ଅସ୍କାର ଦୌଡ଼ରେ ସାମିଲ ହୋଇଛି। ଏହା ଏକ ମାଲୟାଲମ ଫିଲ୍ମ ହୋଇଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଲିଜୋ ଜୋସେ ପେଲିସେରୀ।