ଇଭିଏମ୍ ଭଙ୍ଗାରୁଜା ଘଟଣା ; ସୋଶାଲ ମିଡିଆରେ ଭିଡିଓ ଜାରି କଲେ ଓମ୍ ପ୍ରକାଶ ମିଶ୍ର

ବୀରକିଶୋରପୁରରେ ଇଭିଏମ୍ ଭଙ୍ଗାରୁଜା ଘଟଣାର ନିରପେକ୍ଷ ତଦନ୍ତ ଦାବି

ପୁରୀ( ମଧୁସୂଦନ ମିଶ୍ର) : ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବୀରକିଶୋରପୁର ୭୮ ନମ୍ବର ବୁଥ୍‌ରେ ଇଭିଏମ୍ ଭଙ୍ଗାରୁଜା ଘଟଣାର ନିରପେକ୍ଷ ତଦନ୍ତ ଦାବି। ଏ ଦାବି ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି ଫେରାର ଥିବା ସତ୍ୟବାଦୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର।

ଓମ୍‌ ପ୍ରକାଶ କହିଛନ୍ତି ଯେ, ଗତ ୨୩ରେ ଭୋଟ୍ ବେଳେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବୁଥ୍‌ରେ ୭ଟି ବୁଥ୍‌ରେ ବେଆଇନ୍ କାର୍ଯ୍ୟକଳାପ ହୋଇଥିଲା। ବିଜେପି ଏଜେଣ୍ଟଙ୍କୁ ବୁଥ୍‌ରୁ ବାହାର କରି ଦିଆଯାଇ, କିଛି ଗୁଣ୍ଡା ଶ୍ରେଣୀର ଲୋକେ ଅନ୍ୟମାନଙ୍କ ପାଇଁ ଭୋଟ୍ ଦେଇଥିଲେ।

ଏହା ଶୁଣି ସେ ଘଟଣାସ୍ଥଳକୁ ଯିବା ବେଳେ ବୁଥ୍ ବାହାରେ ତାଙ୍କୁ ବିରୋଧ କରାଯାଇଥିଲା। ପରେ ତାଙ୍କ ଗାଡ଼ିରୁ ଟଙ୍କା, ଲାଇସେନ୍‌ସ ପ୍ରାପ୍ତ ବନ୍ଧୁକ ଉଦ୍ଧାର କରି ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ଲଗାଇଛନ୍ତି। ଏ ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଓମ୍ ପ୍ରକାଶ।

ସେପଟେ ଏ ପ୍ରସଙ୍ଗ ନେଇ ମୁହାଁମହିଁ ହୋଇଛନ୍ତି ଉଭୟ ବିଜେଡି ଓ ବିଜେପି।

You might also like