ପୁରୀ (ମଧୁସୂଦନ ମିଶ୍ର) : ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାରଙ୍କ ଘୋଷଣା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ଏଥିଯୋଗୁ ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ଓ ସିଂହଦ୍ୱାର ସଂଲଗ୍ନ ଅନେକ ଛୋଟବଡ଼ ନିର୍ମାଣକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।
ଏହାପରେ ସମୁଦ୍ର ସମ୍ମୁଖରେ ଥିବା ବଳିଆପଣ୍ଡାର ୧ ଏକର ୫୩ ଡିସିମିଲ୍ ଜମିରେ ହୋଇଥିବା ‘ଯାତ୍ରିକା’ ନାମକ ଗେଷ୍ଟ ହାଉସ୍କୁ ପୁରୀ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି।
ଆଜି ସକାଳେ ବୁଲଡୋଜର ସହ ଉପଜିଲ୍ଲାପାଳ ଓ ପୌର ପରିଷଦ କର୍ମଚାରୀ ପହଞ୍ଚି ଭଙ୍ଗା କାର୍ଯ୍ୟ ଆରମ୍ଭ କରିଥିଲେ। ଦିଲ୍ଲୀର ‘ଯାତ୍ରିକା’ ଟ୍ରଷ୍ଟ ପକ୍ଷରୁ ୧୯୮୪ରେ ଏହି ଯାତ୍ରିକା ନିର୍ମାଣ ହୋଇଥିଲା । ଏହାର ୩୦ ବର୍ଷର ଲିଜ୍ ଥିଲା। ୨୦୧୪ ମସିହାରେ ଲିଜ୍ ଅବଧି ସରିଯାଇଥିବାରୁ ପ୍ରଶାସନ ପକ୍ଷରୁ ଏଠାରୁ ଉଚ୍ଛେଦ ଆରମ୍ଭ ହୋଇଛି। ଏହି ଜାଗାରେ ବହୁତଳ ପ୍ରାସାଦ ପାର୍କିଂ ପ୍ଲେସ ଓ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୨୬୫ କୋଟି ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ ହେବ।