ପୁରୀରେ ଦୁଇ ଦିନ ପାଇଁ ବନ୍ଦ ରହିବ ଉଚ୍ଛେଦ କାମ

ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀଠୁ ୭୫ ମିଟର ଯାଏଁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଆସନ୍ତା ୨ ଦିନ ପାଇଁ ବନ୍ଦ ରହିବ। ଆସନ୍ତାକାଲି ରବିବାର ଓ ପରଦିନ ଗଣେଶ ପୂଜା ଛୁଟି ଥିବାରୁ ଉଚ୍ଛେଦ କାମ ବନ୍ଦ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି।

ମଙ୍ଗଳବାରଠୁ ପୁଣି ଉଚ୍ଛେଦ ଆରମ୍ଭ ହେଲେ ଏହାପରେ ବଡ଼ଆଖଡ଼ା ଓ ସାନଛତା ମଠକୁ ଭଙ୍ଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଏମାର ମଠ ଭଙ୍ଗା ନେଇ ମହନ୍ତଙ୍କ ବାବଦରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ। ମହନ୍ତଙ୍କର ବ୍ୟକ୍ତିଗତ ଜୀବନ ରହିଛି; କିଛି ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେବ । ଟେକ୍ନିକାଲ ଟିମ୍ ଆଲୋଚନା କରିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ସେହିଭଳି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସମସ୍ତଙ୍କ ସହ ଆଲୋଚନା ଚାଲିଛି, ସମସ୍ତଙ୍କୁ ଥଇଥାନ କରାଯିବାକୁ ସାରଣୀ ପ୍ରସ୍ତୁତ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି।

ଉଲ୍ଲେଖନୀୟ ଯେ, ୭୫ ମିଟର ଉଚ୍ଛେଦ ଅଭିଯାନରେ ଆଜି ପାଳି ପଡିଥିଲା ମେଘନାଦ ପାଚେରୀ ସମ୍ମୁଖ ବଣିଆ ପଟିର। ଏମାର ମଠରୁ ଘର ଭଡ଼ା ନେଇ ଦୀର୍ଘ ୪୦ବର୍ଷ ଧରି ଗହଣା ବ୍ୟବସାୟ ଚଳାଇଥିବା ୧୦ରୁ ଅଧିକ ଜୁଏଲାରୀ ଦୋକାନ ଭାଙ୍ଗିବାକୁ ସକାଳୁ ସକାଳୁ ପହଞ୍ଚିଥିଲା ପ୍ରଶାସନ। ନୋଟିସ୍ ମୁତାବକ କେହି କେହି ଦୋକାନୀ ରାତାରାତି ଘର ଖାଲି କରିଦେଇଥିଲେ ତ ଆଉ କେହି ତରତର ହୋଇ ସାମାନପତ୍ର ବୋହି ନେଉଥିଲେ ।

ନିର୍ଦ୍ଧାରିତ ସମୟ ଅନୁସାରେ ଆରମ୍ଭ ହୋଇଥିଲା ଉଚ୍ଛେଦ କାର୍ଯ୍ୟ। ହେଲେ ଅକସ୍ମାତ୍ ପ୍ରଶାସନର ଉଚ୍ଛେଦ ନୋଟିସ୍ ଓ ସଠିକ୍ ଥଇଥାନ ବ୍ୟବସ୍ଥା ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ବ୍ୟବସାୟୀ। ତେଣେ ଜିଲ୍ଲା ପ୍ରଶାସନ ସେହି ପୁରୁଣା କଥା ଦୋହରାଇ କହିଛି ବିପଦ ସଙ୍କୁଳ କୋଠା ଭାଙ୍ଗୁଛୁ।

ପ୍ରଥମେ ରଘୁନନ୍ଦନ ଲାଇବ୍ରେରୀ, ତାପରେ ଭୂତଳ ଅମାର ଘର ଓ ଆଜି ଦୋକାନ ଘର। ଏମାର ମଠର ଗୋଟିଏ ପରେ ଗୋଟିଏ ଅଙ୍ଗ ମାଟିରେ ମିଶୁଥିବାବେଳେ ଏ ପ୍ରସଙ୍ଗରେ କିନ୍ତୁ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରି ଆସୁଥିବା ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସ ଆଜି ଓଟିଭି ଆଗରେ ବଖାଣିଥିଲେ ମନର କ୍ଷୋଭ। କହିଥିଲେ, ସେ ରହୁଥିବା ଘର ଏବଂ ଗାଦି ଘର ନଭାଙ୍ଗିବାକୁ ପ୍ରଶାସନ ଆଲୋଚନାବେଳେ କହିଥିଲା। ତେଣୁ କୌଣସି ହାଲତରେ ତାଙ୍କର ମଠ ଭିତର ବାସଗୃହ ଛାଡ଼ିବାର ପ୍ରଶ୍ନ ଉଠୁନି। ଏମିତିକି ଉଚ୍ଛେଦ ପରେ ତାଙ୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ଆଣିଥିବା କଣ୍ଟେନରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ମହନ୍ତ। ତାସହ ତାଙ୍କୁ ନେଇ ଚାଲିଥିବା ନାନା ଅପପ୍ରଚାର ଉପରେ ଖପ୍ପା ହୋଇଥିଲେ।

ସୂଚନା ଅନୁସାରେ ଏମାର ମଠର ପ୍ରାୟ ୮୦ ପ୍ରତିଶତ ଅଂଶ ମାଟିରେ ମିଶି ସାରିଲାଣି। ଆଗକୁ ବଡ଼ ଆଖଡ଼ା ମଠ ପାଳି। ପ୍ରଶାସନ ତାଲିକାରେ ଅଛି ଅସୁରକ୍ଷିତ ବଡ଼ ଆଖଡ଼ା ମଠ। ଯେଉଁଠି ବର୍ଷ ବର୍ଷ ଧରି ଚାଲିଥିଲା ସିଂହଦ୍ୱାର ଥାନା।

You might also like