ୟାସ୍ ଯିବାର ୪ ଦିନ ପରେ ବି ଥମୁନି ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣା : ଅଣ୍ଟା ସଳଖିବାକୁ ସଂଘର୍ଷ କରୁଛନ୍ତି ବିପନ୍ନ

  • ଚିନ୍ତା ବଢ଼ାଇଛି ସୁବର୍ଣ୍ଣରେଖା ଓ ବୈତରଣୀ
  • ନଈକୂଳିଆ ବାସିନ୍ଦା ଜୀଉଁଛନ୍ତି ଜଳବନ୍ଦୀ ଜୀବନ

ବାଲେଶ୍ୱର : ୟାସ୍ ଯିବାର ଇତିମଧ୍ୟରେ ୪ ଦିନ ହୋଇଯାଇଛି । କିନ୍ତୁ ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣା, ପିଛା ଛାଡୁନି କ୍ଷତିଗ୍ରସ୍ତଙ୍କର । ଆଜି ବି କେଉଁଠି ନଇଁବନ୍ଧ ଉପରୁ ଫେରିନାହାଁନ୍ତି ବାସହରା ତ ଆଉ କିଏ ଓଳିଏ ଖାଇ ଓଳିଏ ଉପାସ ଭିତରେ ଅଣ୍ଟାସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି । ଦୁର୍ଦ୍ଦଶା ଆଉ ଦୟନୀୟ ସ୍ଥିତି ଭିତରେ କାଳ କଟୁଛି ଲୋକଙ୍କର । ତେଣେ କ୍ଷୟକ୍ଷତିର ଆକଳନ ଚାଲୁଛି ପ୍ରଶାସନିକ ସ୍ତରରେ । କିନ୍ତୁ କେବେ ମିଳିବ ସହାୟତା ଏବଂ କରୋନାର କାଳ ଭିତରେ କେବେ ସ୍ବାଭାବିକ ହେବ ଜୀବନ ସହ ଜୀବିକା, ତାକୁ ସମସ୍ତଙ୍କ ଅପେକ୍ଷା ।

୪ ଦିନ ପରେ ସ୍ପଷ୍ଟ ବାରି ହେଉଛି ବାତ୍ୟାର କ୍ଷତଚିହ୍ନ । ବାଲେଶ୍ୱର ସଦର ବ୍ଲକ ମାଝିଚକ ଗାଁରେ ଅଣଚାଷ ପବନ ବହି ଯେଉଁ ତାଣ୍ଡବ ରଚିଥିବା ସାମୁଦ୍ରିକ ବାତ୍ୟା, ସେ କଥାକୁ ଏହି ସମୁଦ୍ରକୂଳିଆ ଲୋକେ ବା ଭୁଲିପାରିବେ କେମିତି । ସମୁଦ୍ର ଗର୍ଭକୁ ଚାଲିଯାଇଛି ଝାଉଁ ଗଛ । ବଦଳି ଯାଇଛି ବାଲିଚଢ଼ାର ମାନଚିତ୍ର । କାହାର ଚାଳ ଉଡ଼ିଯାଇଛି, କାହାର ଝାଟିମାଟି ଘର ମାଟିରେ ମିଶିଯାଇଛି । ଦାନାପାଣି ଯୋଗାଉଥିବା ଡଙ୍ଗାସବୁ ଭାଙ୍ଗିରୁଜି ଯିବା ପରେ ଏମାନଙ୍କୁ ଏବେ ଘାରିଛି ଅନ୍ନଚିନ୍ତା ।

ଏବେ କିନ୍ତୁ ମୁଣ୍ଡ ଟେକି ଛିଡ଼ାହେବାର ବେଳ, ଏବେ ଅଣ୍ଟା ସଳଖି ଚାଲିବାର ବେଳ । ଝାଟିମାଟି ଦେଇ ଯାହା ସବୁ ଗଢ଼ାଯାଇଥିଲା ତାହା ତ ବାତ୍ୟା ମୁହଁରେ ଗଲା । ଏବେ କେବଳ ଘର ସଜାଡ଼ିବାର ସମୟ । କାରଣ ଆଜିକୁ ୪ ଦିନ ବିତିଗଲାଣି, ମୁଣ୍ଡ ଉପରେ ଛାତ ନାହିଁ ବୋଲି ଦିନରେ ଖରା ଆଉ ରାତିରେ ତାରା ଦେଖିବାକୁ ପଡୁଛି । ଭଦ୍ରକ ଜିଲ୍ଲା କଳସିଆ ଗାଁ ଲୋକଙ୍କର ବେଦନା କହିଲେ ନସରେ । ବାତ୍ୟା ଯିବାର ୨ ଦିନଯାଏଁ ମୁଢ଼ି ଖାଇ ଭୋକ ମାରିଥିଲେ ବିପନ୍ନ । ହେଲେ ଗତକାଲିଠୁ ଯାହା ପେଟକୁ ଭାତ ଗଣ୍ଡେ ଯାଉଛି, ତାପୁଣି ସିଝା ଆଳୁ ସହ ।

ବିଳମ୍ବିତ ରାତିରୁ ସକାଳ ଯାଏଁ ତାଣ୍ଡବ ରଚି ବାତ୍ୟା ଫେରିବାର ଇତିମଧ୍ୟରେ ବିତିଗଲାଣି ୪ ଦିନ । ତଥାପି ଜଳବନ୍ଦୀ ଯାଜପୁର ଜିଲ୍ଲାର ଜୀବନ । କମୁନି ଜଳସ୍ତର, ଥମୁନି ଯନ୍ତ୍ରଣା । ବୈତରଣୀ ଓ ଶାଖା ନଦୀ ଗୁଡ଼ିକରୁ ମାଡ଼ି ଆସିଥିବା ବନ୍ୟା ପାଣି ଯୋଗୁ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ଏଠିକାର ଲୋକେ । ଯାଜପୁର ସମେତ କୋରେଇ, ଦଶରଥପୁର, ବିଞ୍ଝାରପୁର ବ୍ଲକର ଶତାଧିକ ଗାଁ ସାଂଘାତିକ ପ୍ରଭାବିତ ହୋଇଛନ୍ତି ବାତ୍ୟାରେ । ପାଣି ନକମିବାରୁ ଏବେ ବି ବନ୍ଧରେ ଆଶ୍ରୟ ନେଇଛନ୍ତି ଲୋକେ ।

ଏଣେ ଅମଳ ଆଗରୁ ବାତ୍ୟା ମାଡ଼ରେ ନଇଁପଡ଼ିଛି ଧାନକେଣ୍ଡା, ନଷ୍ଟ ହୋଇଯାଇଛି ପରିବା । ବାଲେଶ୍ୱର ଜିଳ୍ଲା ନୀଳଗିରି ଓ କେନ୍ଦ୍ରାପଡ଼ା ଭାରିଗଦାରେ ଏବେ ଏଭଳି କ୍ଷୟକ୍ଷତିର ଚିତ୍ର । ତାହାରି ଭିତରେ ବାତ୍ୟା ପ୍ରଭାବିତ ବାଲେଶ୍ୱର, ଜଗତସିଂପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଆଦି ଉତ୍ତର ଏବଂ ପୂର୍ବ ଉପକୂଳ ଓଡ଼ିଶାରେ ଚାଲିଛି କ୍ଷୟକ୍ଷତିର ଆକଳନ । ଜିଲ୍ଲାପାଳଙ୍କଠୁ ମନ୍ତ୍ରୀ, ଯନ୍ତ୍ରୀଙ୍କ ଯାଏଁ, ସମସ୍ତେ ଲାଗିପଡ଼ିଛନ୍ତି ରିପୋର୍ଟ ପ୍ରସ୍ତୁତିରେ । ବାତ୍ୟା ଲ୍ୟାଣ୍ଡଫଲ୍ କରିଥିବା ଭଦ୍ରକ ଜିଲ୍ଳାରେ ୭ଟି ବ୍ଲକରେ ଚାଷବାସ, ରାସ୍ତାଘାଟ ସାଂଘାତିକ ପ୍ରଭାବିତ ହୋଇଥିବା ଜିଳ୍ଲାପାଳ ରିପୋର୍ଟ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ । ତେଣେ ଚିନ୍ତା ବଢ଼ାଉଛି ସୁବର୍ଣ୍ଣରେଖା ନଦୀ ଉପରମୁଣ୍ଡରେ ବର୍ଷା ଯୋଗୁ ବାଲିଆପାଳ ବ୍ଲକର ବିଭିନ୍ନ ଗାଁରେ ପ୍ରବେଶ କରୁଛି ପ୍ରଥମ ବନ୍ୟା ପାଣି ।

You might also like