ରବିବାର ଜଗା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ। ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ପ୍ରତି ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ରବିବାର ଶ୍ରୀମନ୍ଦିର ସାନିଟାଇଜ୍ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏହି ଦିନ ଦର୍ଶନ ବନ୍ଦ ରହିବ। ଏଥିପାଇଁ ଆଗରୁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଥିଲା।

ରବିବାର ବ୍ୟତୀତ ସପ୍ତାହକୁ ଦୁଇଥର ରାତିରେ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ସହିତ କରୋନା ଗାଇଡଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀଜୀଉଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ପ୍ରତିଦିନ ପୁରୀକୁ ଆସିଥାଆନ୍ତି। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି। କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମାସ୍କ ଏବଂ ସାନିଟାଇଜେସନ୍‌ ବାଧ୍ୟତାମୂଳକ କରାଯାଇଛି।

ସୂଚନାଥାଉ କି, ଗତକାଲି ଶ୍ରୀମନ୍ଦିର ଉତ୍ତର ଦ୍ୱାର ସାମ୍ନା ଜୋତା ଷ୍ଟାଣ୍ଡ ନିକଟରେ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଛି ୪ ବର୍ଷୀୟ ନାବାଳିକା। ବ୍ୟାରିକେଡ ଭିତରେ ଅଜାଣତରେ ମୁଣ୍ଡ ଗଳାଇ ଦେଇଥିଲା ଏହି କୁନି ଝିଅ। ପ୍ରାୟ ୨୦ ମିନିଟର ସଂଘର୍ଷ ପରେ କଟର୍‌ରେ ଲୁହା ପାଇପ୍‌ କାଟି ଛୁଆଟିକୁ ଉଦ୍ଧାର କରିଥିଲେ ଶ୍ରୀମନ୍ଦିର କର୍ମଚାରୀ, ସ୍ଥାନୀୟ ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀ।

You might also like