ଟିକା ନେଲେ ବି କୋଭିଡ ସଂକ୍ରମଣ ଆଶଙ୍କା ରହିଛି-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ ଲୋକମାନେ ଆବଶ୍ୟକତା ଅନୁଯାୟୀ ସଚେତନ ହେଉନାହାନ୍ତି। ଟିକା ନେଲେ ବି କରୋନାରୁ ବର୍ତ୍ତିବା ପାଇଁ ସଚେତନତାର ଆବଶ୍ୟକ ରହିଛି ବାରମ୍ବାର କୁହାଯାଉଛି । ଏ ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ ସୂଚନା ଦେଇଛନ୍ତି।  ଡା.ମିଶ୍ର କହିଛନ୍ତି,  ଟିକା ନେଲେ ବି କୋଭିଡ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ନିୟମ ମାନି ଲୋକ କାମ କରନ୍ତୁ ।

ସେ କହିଛନ୍ତି,  ଟିକା ନେଲେ ମୃତ୍ୟୁହାର କମିବ। କିନ୍ତୁ ଜଣେ ଟିକା ନେଇଗଲେ ଯେ କୋଭିଡରୁ ସମ୍ପୂର୍ଣ୍ଣ ବର୍ତ୍ତିଯିବ ସେକଥା ନୁହେଁ।  ଲୋକେ ନିୟମ ମାନି ଚଳିଲେ କୋଭିଡ ଚେନରେ ବ୍ରେକ୍ ଲାଗିବ ବୋଲି ସେ କହିଛନ୍ତି। ଟିକା ନେଲେ ବି ମାସ୍କ ପିନ୍ଧିବେ, ହାତ ଧୋଇବେ, ସାମାଜିକ ଦୂରତା ମାନବାକୁ ପଡ଼ିବ। ତେବେ ଟିକା ନେବା ଦ୍ୱାରା ଭୟବହତା କମିବ ବୋଲି ଡା. ମିଶ୍ର କହିଛନ୍ତି।

ସେପଟେ କିଛି ଜିଲ୍ଲାରେ TMC ଖୋଲିଛି । ଆଉ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ TMC ଖୋଲିବାକୁ ନିର୍ଦେଶ ଦିଆଯାଇଛି । ଆଗକୁ ଦୈନିକ ୫୦ ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ଓ ଘରୋଇ ହସ୍ପିଟାଲରେ ୯୦୦୮ଟି ସାଧାରଣ ବେଡ ରହିଛି। ସେଠି ୧୭.୫ ପ୍ରତିଶତ ରୋଗୀ ଅଛନ୍ତି।

ସେହପରି ଆଇସିୟୁ ବେଡ ବି ପ୍ରସ୍ତୁତ ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୧.୦୧ ପ୍ରତିଶତ ରୋଗୀ ଆଇସିୟୁରେ ରହିଛନ୍ତି । ସେପଟେ ରାଜ୍ୟରେ ୭୮୨ଟି ଭେଣ୍ଟିଲେଟରରେ ୭ .୪ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ଓଡ଼ିଶାରୁ ପାଖାପାଖି ୪୦୦ ବ୍ୟକ୍ତି ପଞ୍ଜିକରଣ କରି କୁମ୍ଭମେଳା ଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ସୂଚନା ଥାଉ କି, ରାଜ୍ୟରେ ଆଜି ୪୪୪୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।  କ୍ୱାରେଣ୍ଟିନ ସେଣ୍ଟରରୁ ୨୫୭୪ ଏବଂ ଲୋକାଲ କଣ୍ଟାକ୍ଟ ରହିଛି ୧୮୭୧। ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ଆଜି ଏଠାରୁ ସର୍ବାଧିକ ୭୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି।

କୋଭିଡ ମୁକାବିଲା ପାଇଁ ସରକାର ଜୋରଦାର ଉଦ୍ୟମ ଜାରି ରଖିଥିବାବେଳେ ଆଜିଠୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଆସନ୍ତାକାଲି କାର୍ଯ୍ୟକ୍ଷମ ହେବ ବ୍ଲୁ ହ୍ୱିଲ୍ କୋଭିଡ୍ ହସ୍ପିଟାଲ। ଖୁବଶୀଘ୍ର ସ୍ପର୍ଶ ଓ କିମ୍ସ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି।

ଆଜିଠୁ ହାଟ, ବଜାରରେ ମଧ୍ୟ କୋଭିଡ କଟକଣା କଡ଼ାକଡ଼ି କରାଯାଇଛି। ସାମାଜିକ ଦୂରତା ଓ ମାସ୍କ ନଥିଲେ ଦୋକାନ ସିଲ୍ ହେବ ବୋଲି ଘୋଷଣା କରାଯାଇଛି।  ଡୁମୁଡୁମା, ପଟିଆ, ଡମଣା ମାର୍କେଟ, ୟୁନିଟ-୪, ୟୁନିଟ୍-୧, ୟୁନିଟ୍-୨ ମାର୍କେଟରେ ଏହି ନିୟମ କଡ଼ାକଡ଼ି କରାଯାଇଛି। ଏ ନେଇ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ବିଏମ୍‌ସି କମିଶନର ନିର୍ଦ୍ଦେଶ ଦେଇଛନ୍ତି।

You might also like