ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ : ଜେଠୱା

ଏସଓପି ପାଳନ ହେଉଛି

ଭୁବନେଶ୍ୱର: ପ୍ରାଥମିକ ସ୍ତରରେ ବାତ୍ୟାର ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଏସଓପି ପାଳନ ହେଉଛି। ସବୁ ଦୁର୍ଗମ ଓ ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଂଚଳକୁ ବୁଲି ସେଠାରେ ପ୍ରାଥମିକ ସୁବିଧା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରିବା ପ୍ରଥମ ଲକ୍ଷ୍ୟ ବୋଲି ସୂଚନା ଦେଇଛନ୍ତି ଏଡିଜି ଯଶୋବନ୍ତ ଜେଠଓ୍ୱା। ସେ ଆହୁରି ସୂଚନା ଦେଇଛନ୍ତି ଯେ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ପ୍ରତ୍ୟେକ ଲୋକଙ୍କୁ କରୋନା ଗାଇଡଲାଇନ ଅନୁଯାୟୀ ସ୍ଥାନାନ୍ତରଣ ପ୍ରକ୍ରିୟା କରାଯାଉଛି।

ଏହାସହ ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି। ଏହାପରେ ବାତ୍ୟା ପରବର୍ତ୍ତୀ ପର୍ଯ୍ୟାୟ ଆହୁରି ଚ୍ୟାଲେଞ୍ଜିଂ ରହିବ। ଏଣୁ ଆବଶ୍ୟକ ପରିମାଣରେ ଗଛ କାଟିବା ମେସିନ, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ଜେଠଓ୍ୱା କହିଛନ୍ତି।

ସେପଟେ, ବାତ୍ୟା ୟାସ୍ ନେଇ ସମୀକ୍ଷା କଲେ ବାଲେଶ୍ୱର ଜିଲ୍ଲାପାଳ, ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଜିଲ୍ଲାରେ ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀରେ ପାଣି, ଖାଦ୍ୟ ଏବଂ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ ଟୋଲଫ୍ରି ନମ୍ବର ଜାରି ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେହିପରି ଲକ୍ଷ୍ମଣନାଥ ଟୋଲ ଗେଟ ଠାରୁ ପାଣି କୋଇଲି ଯାଏଁ ଯାତାୟତ ବନ୍ଦ ରହିଛି।

ବାଲେଶ୍ୱରରେ ସମସ୍ତ ବାତ୍ୟା ଆଶ୍ରୟୀ ସ୍ଥଳ ମାନଙ୍କରେ ମନିଟର ଚାଲିଛି। ସରକାରୀ ଜଳ ପମ୍ପ ହାଉସରୁ ଜଳ ଉଠାଯାଇ ଲୋକମାନଙ୍କୁ ଯୋଗାଇ ଦିଆଯିବ। ବାତ୍ୟା ସରିବା ପର୍ଯ୍ୟନ୍ତ ବାଲେଶ୍ୱରର ସବୁ ସ୍ଥିତି ନିଜେ ପରଖିବେ ବୋଲି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ। ସେହିପରି ତୁରନ୍ତ କୋଭିଡ ହସ୍ପିଟାଲରେ stand by ଡିଜି, ଜେନେରେଟର, ସହରରେ ବିଦ୍ୟୁତ ସରବରାହ ନେଇ ବ୍ୟବସ୍ଥା ହୋଇଥିବା ମନ୍ତ୍ରୀ କହିଛନ୍ତି । ବିଦ୍ୟୁତ ଏବଂ ଅନ୍ୟାନ୍ୟ ଘଟଣାରେ ତୁରନ୍ତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ଉଭୟ ମନ୍ତ୍ରୀ।

You might also like