SCB ସମ୍ପ୍ରସାରଣ ଲାଗି ମାଟିରେ ମିଶିବ ଶହେ ବର୍ଷର ପୁରୁଣା ବସ୍ତି

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) ମାଟିରେ ମିଶିବ ଶହେ ବର୍ଷର ପୁରୁଣା ବସ୍ତି। ବେଘର ହେବେ ଶହ ଶହ ବସ୍ତି ବାସିନ୍ଦା। ମାଲଗୋଦାମ ସଂଲଗ୍ନ ବେହେରା ସାହି ବସ୍ତି ଏସସିବି ମେଡିକାଲ ସଂଯୋଗ ରାସ୍ତାର ସମ୍ପ୍ରସାରଣ ଲାଗି ମାଟିରେ ମିଶିବାକୁ ଯାଉଛି। ପୁରୁଷ ପୁରୁଷ ଧରି ଏଠାରେ ରହି କାମ ଧନ୍ଦା କରି ପରିବାର ଚଳାଉଥିବା ବସ୍ତିବାସିନ୍ଦା, ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ ପ୍ରକଳ୍ପକୁ ସ୍ୱାଗତ କରୁଛନ୍ତି ସତ, କିନ୍ତୁ ଥଇଥାନ ପାଇଁ ସଠିକ ଭାବେ ସ୍ଥାନ ଚିହ୍ନଟ କରାଯାଉନଥିବାରୁ ଦ୍ୱନ୍ଦ୍ୱରେ ରହିଛନ୍ତି।

ପ୍ରଥମେ ମାଲଗୋଦାମ ନିକଟ ଖାଲି ସ୍ଥାନ, ପରେ ଓ.ଏମ.ପି ଛକ ଆଉ ଏବେ ୪୨ ମୌଜା ବ୍ରିଜ ନିକଟ ବାଲିସାହିରେ ଥଇଥାନ କରାଯିବ ବୋଲି ପ୍ରଶାସନ କହୁଛି। ତେବେ ଉଚ୍ଛେଦ ସମୟ ପାଖେଇ ଆସୁଥିବାରୁ କେଉଁଠି ଓ କିପରି ରହିବେ ତାକୁ ନେଇ ଚିନ୍ତା ବଢିଛି। କେବଳ ବସ୍ତି ବାସିନ୍ଦା ନୁହେଁ, ମାଲଗୋଦାମର ପ୍ରଭାବିତ ଦୋକାନୀ ମାନଙ୍କୁ କେଉଁଠି ରଖାଯିବ ସେ ନେଇ ବି ନିଷ୍ପତ୍ତି ହୋଇପାରୁନି।

ସେପଟେ ବସ୍ତିବାସିନ୍ଦା କହୁଛନ୍ତି ଯେ, ଥଇଥାନ କଣ ଆମେ କିଛି ଜାଣିପାରୁନାହୁଁ। ଆମକୁ କେଉଁଠି ବସାଇବେ ସେ କଥା ବି ଆମେ କିଛି ଜାଣିନାହୁଁ। ସାତ ପୁରୁଷ ହେଲାଣି ଏଠି ରହୁଛୁ, ଏବେ କେମିତି ଛାଡ଼ିବୁ? ବୋଲି ପ୍ରଶ୍ନ କରିଛନ୍ତି ବସ୍ତିବାସିନ୍ଦା।

ସେପଟେ ଜିଲ୍ଲାପାଳ କହିଛନ୍ତି ଯେ, ଯେଉଁ ଦୋକାନ ଘର ଗୁଡ଼ିକ ରହିଛି ସେମାନଙ୍କୁ ଏକ ସ୍ୱତନ୍ତ୍ର ପ୍ୟାକେଜରେ କ୍ଷତିପୂରଣ ଦିଆଯିବ। ଆଉ ବସ୍ତିବାସିନ୍ଦାକୁ ମଧ୍ୟ ସଠିକ୍‌ ଭିତ୍ତିଭୂମି ଯୋଗାଇ ଦିଆଯିବ। ଯାହାର ପାଠ ପଢିବାରେ ଅସୁବିଧା ରହୁଛି ତାହାକୁ ଆମେ ଗୁରୁତର ସହ ନେଇଛୁ। ଜିଲ୍ଲା ଶକ୍ଷାଧିକାରୀ ସେହି ପିଲାଙ୍କୁ ପାଠ ପଢାରେ ସାହାଯ୍ୟ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଯୋବ୍ରାଠାରୁ ରାଣୀହାଟ ଯାଏଁ ରାସ୍ତା ସମ୍ପ୍ରସାରଣ ସରିଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଣୀହାଟରୁ ମାତୃଭବନ ଯାଏଁ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ ହେବ ବୋଲି ସୂଚନା ରହିଛି। ତେଣୁ ଅସନ୍ତୁଷ୍ଟ ଓ ଦ୍ୱନ୍ଦରେ ରହିଥିବା ବସ୍ତି ବାସିନ୍ଦାଙ୍କୁ ବୁଝାଇବା ଲାଗି ପହଞ୍ଚିଥିଲେ ଖୋଦ୍ ଜିଲ୍ଲାପାଳ ଓ ସିଏମସି କମିଶନ। ପ୍ରଭାବିତ ହେବାକୁ ଥିବା ବ୍ୟବସାୟୀ ଓ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯିବ ଓ କ୍ଷତିପୂରଣ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏପରିକି ପିଲାଙ୍କ ପାଠପଢା ଯେପରି ପ୍ରଭାବିତ ନହେବ ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ। ତେବେ ଦେଖିବାକୁ ବାକି ରହିଲା କେବେ ଥଇଥାନ ହେଉଛନ୍ତି ବସ୍ତିବାସିନ୍ଦା।

You might also like