ଗ୍ୟାଙ୍ଗଷ୍ଟର ହାଇଦର ଫେରାର, ୬ ସସ୍‌ପେଣ୍ଡ୍‌

  • ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ
  • ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଲ୍‌ ସସ୍‌ପେଣ୍ଡ୍‌
  • ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ
  • ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

କଟକ: କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ଲାଗି ୫ରୁ ଊର୍ଦ୍ଧ୍ୱ ଟିମ୍‌କୁ ନେଇ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ୍‌। ତେବେ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ ଜଣ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଲ୍‌ଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି।

ସସ୍‌ପେଣ୍ଡ ହୋଇଥିବା ୬ ପୋଲିସ୍‌ କର୍ମଚାରୀଙ୍କ ମଧ୍ୟରେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଲ ବୁଲ୍‌ବୁଲ୍‌ ସାହୁ, ଦୀପକ ସାହୁ, ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା, ସୁଧାଂଶୁ ମାଝୀ ଅଛନ୍ତି। ଏନେଇ ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି।

ହାଇଦର ଫେରାର ଘଟଣାକୁ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି। ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। STF ୟୁନିଟ୍ ଓ ଡିସିପିଙ୍କୁ ମଧ୍ୟ ଆଲର୍ଟ କରାଯାଇଛି। ଷ୍ଟେସନ ଓ ପ୍ରମୁଖ ସଡ଼କ ପଥ ଉପରେ ବି ନଜର ରହିଛି। ହାଇଦରକୁ ଧରିବା ଲାଗି ୫ରୁ ୬ଟି ଟିମ୍ ଗଠନ କରାଯିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଗତକାଲି ମଞ୍ଚେଶ୍ୱରର ଏକ ସ୍ଥାନରେ ରେଡ୍ ହୋଇଥିଲା। ତେବେ
ଖୁବଶୀଘ୍ର ହାଇଦର ଧରାପଡ଼ିବ।

ଡିଜିପିଙ୍କ ବୈଠକ ପରେ ପୋଲିସ କମିଶନର କହିଛନ୍ତି, ‘ସର୍ଭେଲାନ୍ସକୁ କଡ଼ାକଡ଼ି କରାଯାଇଛି।  ଯଥାଶୀଘ୍ର ହାଇଦରକୁ ଗିରଫ କରିବାକୁ ପ୍ରକ୍ରିୟା ଜାରି ରହିଛି।’

ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲିସ କମିଶନର, କେନ୍ଦ୍ରାଞ୍ଚଳ ଡିଆଇଜି, ଏଡିଜି କ୍ରାଇମବ୍ରାଞ୍ଚ୍ ପ୍ରମୁଖ ଯୋଗ ଦେଇଥିଲେ। ହାଇଦରକୁ ଧରିବା ଲାଗି ଗୁଇନ୍ଦା ସୂଚନା ଆଧାରରେ ସର୍ଚ୍ଚ ଅପରସେନ ଜାରି ରହିଛି। ହାଇଦର ଯେଭଳି ପଡ଼ୋଶୀ ରାଜ୍ୟ ଦେଇ ଖସି ନଯାଏ ସେଥିପାଇଁ ଝାଡ଼ଖଣ୍ଡ, ଛତିଶଗଡ଼, କୋଲକାତା ପୋଲିସ ସହ ଓଡ଼ିଶା ପୋଲିସ୍‌ ଯୋଗାଯୋଗରେ ଅଛି। ଗତକାଲି ସନ୍ଧ୍ୟା ୭ରୁ ଆଜି ଭୋର୍ ୫ଟା ଯାଏ ୮ରୁ ଅଧିକ ଟ୍ରେନ୍ ଯାଞ୍ଚ କରାଯାଇଛି। ହାଓ୍ୱଡ଼ା, ବିଶାଖାପାଟଣା ରୁଟ୍ ଦେଇ ଯାଉଥିବା ଟ୍ରେନ୍‌କୁ ପୋଲିସ ଯାଞ୍ଚ କରିଛି। ହାଇଦରର ବର୍ତ୍ତମାନର ଫଟୋକୁ ବି ସମସ୍ତଙ୍କୁ circulate କରିଛି ପୋଲିସ୍‌।

ହାଇଦର ଫେରାର ସ୍ୱାଭାବିକ ନା ଷଡ଼ଯନ୍ତ୍ର, ତାକୁ ନେଇ ପ୍ରଶ୍ନ ଉଠିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ  ଦେଖା କରିବାକୁ ଓ୍ୱାର୍ଡ ଭିତରକୁ ଏକାଧିକ ଲୋକଙ୍କୁ ଅନୁମତି ଦେବା ଭଳି ଘଟଣା ସନ୍ଦେହ ସୃଷ୍ଟି କରିଛି।

କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀର ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରି ନାହିଁ। କାଲି ସନ୍ଧ୍ୟାରୁ ହାଇଦର ନିଖୋଜ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଧରାପଡ଼ି ନାହିଁ।

You might also like