ବ୍ରିଟିଶ ଅମଳର ପୁରୁଣା ତହସିଲ କାର୍ଯ୍ୟାଳୟ ଏବେ ହେବ ଐତିହ୍ୟ ସଂଗ୍ରହାଳୟ

ଶୋଭା ପାଇବ କୁଜଙ୍ଗ ଷଣ୍ଢ ରାଜା ଶାସନକାଳର ସ୍ମୃତି

  • କୁଜଙ୍ଗର ପୁରୁଣା ତହସିଲ ହେବ ରାଜ୍ୟ ସଂଗ୍ରହାଳୟର ଅଂଶ
  • ଶୋଭା ପାଇବ କୁଜଙ୍ଗ ଷଣ୍ଢ ରାଜା ଶାସନକାଳର ସ୍ମୃତି
  • ଐତିହ ବହନ କରୁଥିବା ବସ୍ତୁ ଗୁଡ଼ିକ ହେବ ପୁନଃ ଉଦ୍ଧାର

ଜଗତସିଂହପୁର: କୁଜଙ୍ଗ ଷଣ୍ଢ ରାଜା ଶାସନକାଳର ସ୍ମୃତି ବହନ କରୁଥିବା ବ୍ରିଟିଶ ଅମଳର ପୁରୁଣା ତହସିଲ କାର୍ଯ୍ୟାଳୟ ହେବ ଐତିହ୍ୟ ସଂଗ୍ରହାଳୟ। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି ରଖିବା ପରେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଓଡିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶିକା କୁଜଙ୍ଗ ଗସ୍ତ କରି ପ୍ରସ୍ତାବିତ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ଐତିହାସିକ କୁଜଙ୍ଗ ରାଜ୍ୟର ତତ୍କାଳୀନ ଶାସନ ପ୍ରଣାଳୀ, ସାମାଜିକ ଚଳଣି, ପରମ୍ପରା ସମ୍ପର୍କରେ ଅନେକ ତଥ୍ୟ ଏହି ସଂଗ୍ରହାଳୟ ବହନ କରିବ ବୋଲି ସୂଚନା ମିଳିଛି।

ବ୍ରିଟିଶ ସରକାର ନିକଟରେ ଶେଷ ଯାଏ ପରାଧିନତା ସ୍ୱୀକାର କରି ନଥିବା କୁଜଙ୍ଗ ରାଜ୍ୟ ଶାସନର ସ୍ମୃତି ବହନ କରୁଥିବା କୁଜଙ୍ଗ ପୁରୁଣା ତହସିଲ କାର୍ଯ୍ୟାଳୟ ହେବ ସଂଗ୍ରହାଳୟ। ସ୍ୱାଭିମାନୀ ଷଣ୍ଢ ରାଜା ଏହି କୋଠାରୁ ପ୍ରଶାସନିକ କାର୍ଯ୍ୟ, ନୌବାଣିଜ୍ୟ କାରବାର ଏବଂ କର ଅସୁଲି କରୁଥିଲେ। ୧୯୫୨ ମସିହାରେ ରାଜ୍ୟ ସରକାର ଏହି କୋଠାକୁ ନିଜ ଅଧିନକୁ ନେଇ କୁଜଙ୍ଗ ତହସିଲ କରିଥିଲେ। ଅବିଭକ୍ତ କଟକ ଜିଲ୍ଲାର ଏକ ପ୍ରମୁଖ ରାଜସ୍ୱ କାର୍ଯ୍ୟାଳୟ ଭାବରେ କୁଜଙ୍ଗ ତହସିଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସ୍ୱାଧୀନତା ଆନ୍ଦୋଳନ ସମୟର ପ୍ରତୀକ ସ୍ୱରୂପ ଏହି କୋଠାର ପ୍ରବେଶ ଦ୍ୱାରରେ ଥିବା ତୋପ ଏବେ ବି ଅକ୍ଷୂର୍ଣ୍ଣ ରହିଛି। ରାଜାଙ୍କ ଖଣ୍ଡା, ବର୍ଚ୍ଛା, ଜୋତା, ପୋଷାକପତ୍ର, କୈବର୍ତଙ୍କ କୌଳିକ ସାମଗ୍ରୀ ଆଦି ଏହି ତହସିଲରେ ଏବେ ବି ରହିଛି।

କୁଜଙ୍ଗ ତହସିଲ କାର୍ଯ୍ୟାଳୟ ଏହାର ନୂତନ ଗୃହରେ ଚାଲୁଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଷଣ୍ଢରାଜାଙ୍କ ସ୍ମୃତି ନଷ୍ଟ ହେବାକୁ ବସିଲାଣି। ପାଇକ ବିଦ୍ରୋହରେ କନିକା-କୁଜଙ୍ଗ-ଖୋର୍ଦ୍ଧାର ଯେଉଁ ଅପାସୋରା ବୀରତ୍ୱର ଗାଥା ରହିଛି ତାକୁ ଉଦଜୀବିତ ରଖିବା ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ହେବ। ଦୁଇ ଦିନ ତଳେ ଓଡିଶା ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଏହି ପ୍ରସ୍ତାବିତ ଜିଲ୍ଲା ଐତିହ୍ୟ ସଂଗ୍ରହାଳୟ କୋଠ ପରିଦର୍ଶନ କରି ଫେରିଛନ୍ତି। ସେଠାରେ ଥିବା ତାଳପତ୍ରରେ ଲିଖିତ ସରକାରୀ ରେକର୍ଡପତ୍ରରୁ ଉଇ, ଅଳନ୍ଧୁ ସଫା କରିବା ପାଇଁ କୁଜଙ୍ଗ ତହସିଲଦାରଙ୍କୁ ସେ କହିଛନ୍ତି।

ଷଣ୍ଢ ରାଜା ଅମଳର ପ୍ରଶାସନିକ କାର୍ଯ୍ୟାଳୟ କୋଠାକୁ ଜିଲ୍ଲା ଐତିହ୍ୟ ସଂଗ୍ରହାଳୟର ରୂପ ଦେବା ପରେ ଏହା ଯେ କେବଳ କୁଜଙ୍ଗ କି ଜଗତସିଂହପୁର ଜିଲ୍ଲା ପାଇଁ ନୁହେଁ ସାରା ରାଜ୍ୟ ପାଇଁ ଗୌରବ ମଣ୍ଡନ କରିବ।

ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡାଙ୍କ ସହିତ ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ

You might also like