ବିନା ଏଣ୍ଟ୍ରାନ୍ସରେ ଏ ବର୍ଷ କରି ହେବ ଇଞ୍ଜିନିୟରିଂ ଆଡ଼ମିଶନ୍

ବିନା ଏଣ୍ଟ୍ରାସରେ ଇଞ୍ଜିନିୟରିଂ ପଢ଼ିବେ ପିଲା

ଭୁବନେଶ୍ୱର:   ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସରେ କରିହେବ ଇଞ୍ଜିନିୟରିଂରେ ଆଡମିଶନ୍। କରୋନା ପାଇଁ AICTE ଏହି ଗାଇଡ୍ଲାଇନ୍ ଜାରି କରିଥିବା ବେଳେ ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ବି ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ଲାଗି ବୈଷୟିକ ଶିକ୍ଷା ବିଭାଗକୁ ଚିଠି ଲେଖିଛି। ସେପଟେ ଶିକ୍ଷାବିତ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ଦେଖାଦେଇଛି ମିଶ୍ର ପ୍ରତିକ୍ରିୟା।

ବିନା ଜେଇଇରେ ବି କରିହେବ ଇଞ୍ଜିନିୟରିଂରେ ଆଡମିଶନ୍। ଏ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଲ୍ ଇଣ୍ଡିଆ କାଉନସିଲ ଅଫ୍ ଟେକ୍ନିକାଲ ଏଜୁକେସନ୍-AICTE କରୋନା ପାଇଁ ଚଳିତ ବର୍ଷ ଏଣ୍ଟ୍ରି ଲେଭଲ କ୍ୱାଲିଫିକେସନ୍ ସ୍ଥିର କରିଛି ବୋଲି ଜଣାପଡ଼ିଛି। ମାନଦଣ୍ଡ ଅନୁଯାୟୀ ଯୁକ୍ତ ଦୁଇରେ ମାଥମେଟିକ୍ସ, ଫିଜିକ୍ସ ଓ କେମିଷ୍ଟ୍ରି ବିଷୟ ଥିବା ବାଧ୍ୟତାମୂଳକ। ଏହି ତିନି ବିଷୟରେ ୪୫ ପ୍ରତିଶତ ମାର୍କ ରଖିଥିଲେ ଛାତ୍ରଛାତ୍ରୀ ବିନା ଜେଇଇରେ ବି ଯେକୌଣସି ଇଞ୍ଜିନିୟରିଂ କଲେଜରେ ଆଡମିଶନ ନେଇପାରିବେ।

ଆଉ ଏହାକୁ ଆଧାର କରି ଓଡିଶା ଘରୋଇ ଇଞ୍ଜିନିୟରି କଲେଜ ସଂଘ, ଓପେକା ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲା। ଯେଉଁଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ପକ୍ଷଭୁକ୍ତ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ଓପେକା ସପକ୍ଷରେ ରାୟ ଦେଇଛନ୍ତି। ଅର୍ଥାତ ଯେଉଁମାନେ ଜେଇଇ ବା ଓଜେଇଇ ଦେଇନଥିବେ ସେମାନେ ବି ଇଞ୍ଜିନିୟରିଂ ପଢିପାରିବେ । ଏହାଦ୍ୱାରା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇବେ ବୋଲି ଆଶା ରଖି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓପେକା।

ସେପଟେ ଏହି ନିଷ୍ପତ୍ତିରେ ଛାତ୍ରଛାତ୍ରୀଙ୍କର ମିଶ୍ର ପ୍ରତିକ୍ରିୟା ମିଳିଛି। ସୁଯୋଗରୁ ବଞ୍ଚିତଙ୍କ ଲାଗି ଏହା ଆଉ ଏକ ସୁଯୋଗ ମାତ୍ର ବିନା ଜେଇଇ ବା ଓଜେଇଇରେ ଆଡମିଶନ୍ ଦ୍ୱାରା ମାନ ହ୍ରାସ ପାଇବ ବୋଲି ଆଉ କିଛି ଛାତ୍ର ମତ ଦେଇଛନ୍ତି। ସେପଟେ ବୈଷୟିକ ଶିକ୍ଷା ବିଶେଷଜ୍ଞଙ୍କ ମତରେ ଆଡମିଶନ୍ ପାଇଁ ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ପ୍ରସ୍ତୁତ ହେବା କଥା। ତେବେ ପ୍ରତିବର୍ଷ ଇଞ୍ଜିନିୟରିଂ ଆଡମିଶନରେ ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ହିତରେ ଯାଉନି।

ରାଜ୍ୟରେ ୮୦ଟି ଘରୋଇ ଓ ୮ଟି ସରକାରୀ ଇଞ୍ଜିନିୟରିଂ କଲେଜ୍ ଅଛି। ଏସବୁରେ ପ୍ରାୟ ୩୦ ହଜାର ସିଟ୍ ରହିଛି। ତେବେ ଚଳିତ ବର୍ଷ ଆଡମିଶନ୍ ମାତ୍ର ୧୨ ହଜାର ସିଟରେ ହୋଇଛି। ଅର୍ଥାତ୍ ଖାଲି ପଡ଼ିଛି ୧୮ ହଜାର ସିଟ୍। ସରକାରୀ କଲେଜରେ ସିଟ୍ ପୂରଣ ହୋଇସାରିଥିବା ବେଳେ ଘରୋଇ କଲେଜରେ ସିଟ୍ ଯଥେଷ୍ଟ ଖାଲି। ଏହି ନିଷ୍ପତ୍ତି ଦ୍ୱାରା ଆଡମିଶନରେ ସାମାନ୍ୟ ବୃଦ୍ଧି ଘଟିପାରେ, କିନ୍ତୁ ଏହା ସ୍ଥାୟୀ ସମାଧାନ ନୁହେଁ ବୋଲି ଶିକ୍ଷାବିତଙ୍କ ମତ।

ରିପୋର୍ଟ: କଟକରୁ ଗୌତମ ପଣ୍ଡା/ଭୁବନେଶ୍ୱରରୁ ଜଗଦୀଶ ଦାସ 

You might also like