ଘରଚଟିଆ ପ୍ରେମରେ ଇଞ୍ଜିନିୟର ଦମ୍ପତି

ରହିବା ପାଇଁ ତୋଳିଛନ୍ତି ସ୍ୱତନ୍ତ୍ର ଘର, ଭୋକ ହେଲେ ରହିଛି ଖାଇବା, ଶୋଷ ମେଣ୍ଟିବା ପାଇଁ ହୋଇଛି ବ୍ୟବସ୍ଥା

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କିଚିରିମିଚିରି ଘର ଚଟିଆ। ଏ ଅଗଣାରୁ ସେ ଅଗଣାକୁ ନିର୍ଭୟରେ ବୁଲୁଛନ୍ତି। ମନ ହେଲେ ଖାଉଛନ୍ତି, ଆଉ ମନ ହେଲେ ଖେଳୁଛନ୍ତି । ବାଧା ଦେବାକୁ କେହି ନାହିଁ।  ଘର ଚଟିଆ ପ୍ରେମରେ ପଡ଼ି ତାଙ୍କ ପାଇଁ ସ୍ୱତନ୍ତ୍ର ଘର ତିଆରି କରିଛନ୍ତି ଇଞ୍ଜିନିୟର ଦମ୍ପତି । ମଣିଷର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ପ୍ରକୃତି ଉପରେ ପଡୁଛି ଏହାର ନକରାତ୍ମକ ପ୍ରଭାବ । ଯାହାଫଳରେ ଅନେକ ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ବୁଲୁପ୍ତ ହେଲେଣି । ତେବେ ପରିବର୍ତ୍ତିତ ଜୀବନଶୈଳୀ ପାଇଁ ମଣିଷର ବନ୍ଧୁ ଘର ଚଟିଆ ଆଉ ଦେଖିବାକୁ ମିଳୁନି। ତେବେ ବୁଲୁପ୍ତ ହେବାକୁ ବସିଥିବା ଏହି ଘର ଚଟିଆଙ୍କୁ ବଞ୍ଚାଇ ରଖିବାକୁ ନୟାଗଡ଼ର ଏକ ଇଞ୍ଜିନିୟର ଦମ୍ପତି ଚଳାଇଛନ୍ତି ପ୍ରୟାସ ।

ଗାଁ ଗଣ୍ଡାରେ ଆଉ ପୂର୍ବଭଳି ଚାଳ ଘର ନାହିଁ । ସହର ଭଳି ଗାଁ ମଧ୍ୟ ଧୀରେ ଧୀରେ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଗଲାଣି । ଗାଁ ଦାଣ୍ଡ ଆଜି ସହର ପରି କଂକ୍ରିଟ ଧୂଳି ଆଚ୍ଛାଦିତ । ମଣିଷ ନିଜର ସୁବିଧା ପାଇଁ କୋଠା ସିନା ନିର୍ମାଣ କଲା ହେଲେ ନିରୀହ ଘର ଚଟିଆ ବାସହରା ହୋଇଗଲା । ପୂର୍ବରୁ ଚାଳ ଓଳି ତଳେ କିଚିରି ମିଚିରି ଶବ୍ଦ କରୁଥିବା ଘର ଚଟିଆ ନିଜର ବାସ ନପାଇବାରୁ ତାଙ୍କ ପ୍ରଜାତି ଏବେ ଧ୍ୱଂସ ହେବାକୁ ବସିଲାଣି । ତେବେ ଏମାନଙ୍କୁ ବଞ୍ଚାଇ ରଖିବାକୁ ପ୍ରୟାସ ଚଳାଇଛନ୍ତି ନୟାଗଡ଼ ସହର ଛାୟାପଥ ଲେନର ଏହି ଦମ୍ପତି ।

ନୟାଗଡ଼ ବିଦ୍ୟୁତ ସେକ୍ସନର ଜୁନିଅର ଇଞ୍ଜିନିୟର ଆଦିତ୍ୟ କୁମାର ଦାଶ ଏବଂ ତାଙ୍କ ପତ୍ନୀ ସଂଘମିତ୍ରା । ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଡବୋର୍ଡରେ ତିଆରି ଘର ଚଟିଆଙ୍କ କୃତ୍ରିମ ଘର ବସାଇଛନ୍ତି । ସେମାନଙ୍କ ପାଇଁ ପାଣି ଏବଂ ଖାଦ୍ୟ ପାଇଁ ଧାନ ପାତ୍ର ବସାଇଛନ୍ତି ଏହି ଦମ୍ପତି । ଘର ଚଟିଆ ଗାଧୋଇବା ଏବଂ ପିଇବା ପାଇଁ ପାଣି ର ପାତ୍ର ମଧ୍ୟ ରଖିଛନ୍ତି ।ଜିଲ୍ଲାର ବିଭିନ୍ନ ଗାଁ କୁ ଯାଇ ଲୋକ ଙ୍କୁ ଘର ଚଟିଆ ଙ୍କ କାର୍ଡବୋର୍ଡ ଘର ଦେବା ସହ ସଚେତନ କରାଉଛନ୍ତି ଆଦିତ୍ୟ ଏବଂ ସଂଘମିତ୍ରା ।

ଘର ଚଟିଆ କୃଷକର ବନ୍ଧୁ ଭାବେ ପରିଚିତ । ମଣିଷ ପରି ସେମାନେ ମଧ୍ୟ ପ୍ରତିଦିନ ଗାଧୋଇ ଥାଆନ୍ତି । ଏକ ପୁରୁଷ ଏବଂ ମହିଳା ଘର ଚଟିଆ ସାରା ଜୀବନ ଦାମ୍ପତ୍ୟ ଜୀବନ ଅତିବାହିତ କରିଥାନ୍ତି । ତେବେ ଆଦିତ୍ୟ ଏବଂ ସଂଘମିତ୍ରା ଦୀର୍ଘ ବର୍ଷ ଧରି ଚଳାଇଥିବା ଏହି ଅଭିଯାନ ଯୋଗୁଁ ଏବେ ସୁଦ୍ଧା ୪୦୦ ଜୋଡା ଘର ଚଟିଆ ନୂଆ ଜୀବନ ପାଇଛନ୍ତି ।ତାଙ୍କର ଏହି ପ୍ରୟାସ ତାଙ୍କୁ ମାନସିକ ଭାବେ ସନ୍ତୋଷ ଦେଇଥାଏ ବୋଲି କୁହନ୍ତି ଏହି ଦମ୍ପତି। ଏହି ଦମ୍ପତି ଙ୍କ ଭଳି ସମସ୍ତେ ଏଭଳି ପ୍ରୟାସ କଲେ ଘର ଚଟିଆ ଭଳି ସାମାଜିକ ପକ୍ଷୀ ବିଲୁପ୍ତ ହେବାରୁ ରକ୍ଷା ପାଇବ ନିଶ୍ଚୟ ।

You might also like