ବିଜୁଳି ଯୋଗାଣକୁ ନେଇ ଅନ୍ଧାରରେ ଶକ୍ତି ବିଭାଗ

ଭୁବନେଶ୍ୱର: ‘ଫୋନି’ରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ପୁରୀ ଓ ଭୁବନେଶ୍ୱରରେ ୪ ଦିନ ହେଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।

ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ବିଜୁଳି ବିନା ଜନଜବୀନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହେଲାଣି। ବିଜୁଳିକୁ ନେଇ ସ୍ମାର୍ଟ ସିଟିର ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ବେଳେ ପୁରୀରେ କେବେ ବିଜୁଳି ଆସିବ ସେ କଥା ଶକ୍ତି ବିଭାଗ କହିବା ସ୍ଥିତିରେ ନାହିଁ।

ସବୁଆଡ଼େ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ଏହି ୨ ସହରରେ କେବେ ବିଦ୍ୟୁତ୍‌ ଆସିବ ସେ ନେଇ ଶକ୍ତି ବିଭାଗ ବି ଅନ୍ଧାରରେ ଅଛନ୍ତି। ପ୍ରଥମ ଦିନରୁ ୨୫ ପ୍ରତିଶତ ବିଜୁଳି ଦେବାର ଦମ୍ଭୋକ୍ତି ଦେଖାଇଥିବା ଶକ୍ତି ସଚିବ ସମୟ ଗଡ଼ାଇ ସମାନ କଥା କହୁଛନ୍ତି। ମ୍ୟାନ୍ ପାଓ୍ୱାର ଓ ବିଚ୍ଛିନ୍ନ ଯୋଗାଯୋଗ ବିଜୁଳି ସଂଯୋଗରେ ବାଧକ ସାଜିଛି।

ଶକ୍ତି ବିଭାଗର କହିବା କଥା ‘ଫୋନି’ ପ୍ରଭାବରେ ବିଶେଷ କରି ପୁରୀ, ଖୋର୍ଦ୍ଧା ଏବଂ କଟକରେ କ୍ଷତି ସବୁଠୁ ଅଧିକା ହୋଇଛି। ପ୍ରାୟ ୩୫ଲକ୍ଷରୁ ଅଧିକ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି।

ୱେସ୍କୋ, ସାଉଥ୍‌କୋରୁ କର୍ମଚାରୀ ଆସି ପୁନଃରୁଦ୍ଧାର କାମରେ ନିୟୋଜିତ ଅଛନ୍ତି। ଜନସାଧାରଣ ସହଯୋଗ କରନ୍ତୁ ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଓପିଟିସିଏଲ ନିର୍ଦ୍ଦେଶକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

You might also like