ଖୋର୍ଦ୍ଧା: ଖଣି ଓ ଡ୍ରଗ୍ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀଙ୍କ ଗୁଳି ବିନିମୟ।ଗତକାଲି ଖୋର୍ଦ୍ଧା ଏଲ୍ଆଇସି ପଡ଼ିଆ ନିକଟରେ ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା।
ଏହି ଘଟଣାରେ ଜଣେ ଦୁର୍ବୃତ୍ତ ଗିରଫ ହୋଇଥିବା ବେଳେ ଘଟଣାସ୍ଥଳରୁ ୩ରୁ ୪ ଜଣ ଖସି ପଳାଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ସେମାନଙ୍କ କାରକୁ ଏକ ବିଲ ମଝିରେ ଛାଡ଼ି ପଳାଇଛନ୍ତି। କାର୍ରେ ରକ୍ତଛିଟା ଓ ଏକାଧିକ ଗୁଳିମାଡ଼ର ଚିହ୍ନ ଦେଖିବାକୁ ମିଳିଛି। ଫଳରେ ଖସି ପଳାଇଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ କେହି ଆହତ ହୋଇଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ, ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ମୋଷ୍ଟ ୱାଣ୍ଟେଡ୍ ରହିଛନ୍ତି। ତାଙ୍କ ନାଁ ସଞ୍ଜୟ ପ୍ରଧାନ। ତାଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲା ରହିଛି। ସେ ଡ୍ରଗ୍ସ କାରବାର, ବେଆଇନ ଖଣି କାରବାର ଇତ୍ୟାଦି କରୁଥିଲେ।
ଅନ୍ୟପକ୍ଷରେ ଗୁଳି ବିନିମୟରେ କ୍ରାଇମ୍ବ୍ରାଞ୍ଚର ୨ରୁ ୩ ଅଧିକାରୀ ଆହତ ହୋଇଛନ୍ତି।