ନିଯୁକ୍ତି ମେଳାରେ ଆସିନାହାଁନ୍ତି କମ୍ପାନୀ: ନିରାଶ ଆଶାୟୀ

ରାଉରକେଲା: ରାଉରକେଲାରେ ଆରମ୍ଭ ହୋଇଛି ନିଯୁକ୍ତି ମେଳା। ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲାରେ ଥିବା ଶିକ୍ଷିତ ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆୟୋଜନ କରାଯାଇଛି। ହେଲେ ମେଳାରେ ଜିଲ୍ଲାର କୌଣସି କମ୍ପାନୀ ଭାଗ ନେଇନାହାନ୍ତି। ଆଉ ଯେଉଁ କମ୍ପାନୀ ଅଛନ୍ତି ସେମାନଙ୍କ ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି।

ହାତରେ ଶିକ୍ଷାଗତ ଯୋଗ୍ୟତା, ମନରେ ଅସୁମାରି ସ୍ୱପ୍ନ ନେଇ ଚାକିରି ଖଣ୍ଡେ ପାଇଁ ଯୁବକ ଯୁବତୀ ରାଉରକେଲା ଏମ୍ପ୍ଲୋମେଣ୍ଟ ଏକ୍ସଚେଞ୍ଜ ଅଫିସ୍‌ରେ ଚାଲିଥିବା ନିଯୁକ୍ତି ମେଳାର ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଛନ୍ତି। ଏଥିରେ ୧୦ ହଜାରରୁ ଅଧିକ ଆଶାୟୀ ଧାଡ଼ିରେ ଛିଡ଼ା ହୋଇ ନାଁ ପଞ୍ଜି ରଣ କରିଥିଲେ।

ଏମିତିକି ଶିକ୍ଷାଗତ ଯୋଗ୍ୟତା ହିସାବରେ ଏମାନଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଥିଲେ ମଧ୍ୟ ନିଯୁକ୍ତି ମେଳାକୁ ଆଖି ଦୃଶିଆ କମ୍ପାନୀ ଆସିନଥିବାରୁ ନିରାଶ ହୋଇଛନ୍ତି ଆଶାୟୀ।

ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇଛି, ହେଲେ ଜିଲ୍ଲା ପ୍ରଶାସନର ଆନ୍ତରିକତା ନଥିବା ଅଭିଯୋଗ ହୋଇଛି। ଚଳିତ ନିଯୁକ୍ତି ମେଳାରେ ୪୦ଟି କମ୍ପାନୀ ଏବଂ ୨୦ଟି ଟ୍ରେନିଙ୍ଗ୍ ପ୍ରୋଭାଇଡର୍ ସଂସ୍ଥା ଭାଗ ନେଇଛନ୍ତି। ତେବେ ସୁନ୍ଦରଗଡ଼ ଜିଲ୍ଲାର କୌଣସି କମ୍ପାନୀ ଏହି ମେଳାରେ ଭାଗ ନେଇନାହାନ୍ତି।

ଜିଲ୍ଲାରେ ଥିବା ଆର୍‌ଏସ୍‌ପି, ଓସିଏଲ୍ ଭଳି ନାମିଦାମୀ କମ୍ପାନୀ ଏବଂ ବହୁ ସଂଖ୍ୟାରେ କାରଖାନା ରହିଛି। ହେଲେ ଏହି କମ୍ପାନୀମାନେ କାହିଁକି ଏହି ନିଯୁକ୍ତି ମେଳାରେ ଭାଗ ନେଇନାହାନ୍ତି ତାକୁ ନେଇ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ସେହିପରି ଗତ ନିଯୁକ୍ତି ମେଳାରେ ଆସିଥିବା କମ୍ପାନୀ ଏଥର ଆସିନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅନ୍ୟ କମ୍ପାନୀକୁ ପୁଣି ଥରେ ମେଳାରେ ସାମିଲ କରିବା ସହ ରାଜ୍ୟ ବାହାରେ କାମ କରୁଥିବା ଯୁବକ ଯୁବତୀଙ୍କ ସହ ଯୋଗାଯୋଗ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି।

ନିଯୁକ୍ତି ମେଳାରେ ଜମୁଥିବା ଭିଡ଼କୁ ନେଇ ଅନୁମାନ କରାଯାଇ ପାରେ ଜିଲ୍ଲାରେ ଥିବା ବେକାରୀ ସମସ୍ୟା ସମ୍ପର୍କରେ। ସେହିପରି ଜିଲ୍ଲାରୁ ପ୍ରତିଦିନ ଅନ୍ୟ ରାଜ୍ୟକୁ କାମ ସନ୍ଧାନରେ ଯାଉଥିବା ଘଟଣା ବି ସାମ୍ନାକୁ ଆସୁଛି।

You might also like