ନିଯୁକ୍ତି ଦିଅ ନଚେତ୍ ସମୂହ ଆତ୍ମହତ୍ୟା କରିବୁ

ଭୁବନେଶ୍ୱର: ପୁଣି ରାଜଧାନୀ ରାଜରାସ୍ତାରେ ଆତ୍ମାହୁତି ଉଦ୍ୟମ। ସ୍ଥାୟୀ ନିଯୁକ୍ତି ଦାବି କରି ଆଜି ଭୁବନେଶ୍ୱରରେ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଦୁଇ କରୋନା ଯୋଦ୍ଧା। ଶୀତ କାକରରେ ପଡ଼ି ଏଏନ୍ଏମମାନେ ଆନ୍ଦୋଳନ ଚଳାଇଥିଲେ ବି ସେମାନଙ୍କ ଦାବି ସରକାର ନଶୁଣିବା ପରେ ଆଜି ଏଭଳି ଚରମ ପଦକ୍ଷେପ ନେଇଥିଲେ ସେମାନେ । ଆଉ ଚେତାବନୀ ଦେଇଛନ୍ତି ୧୮ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ, ସମୂହ ଆତ୍ମାହୁତି ଦେବେ । ସେପଟେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ମହାମାରୀ କରୋନା ଦାଉରୁ ରାଜ୍ୟବାସୀଙ୍କୁ ରକ୍ଷା କରିବାରେ ଏମାନେ ନେଇଥିଲେ ପ୍ରମୁଖ ଭୂମିକା। ଏଠି କିନ୍ତୁ ହାତରେ ସିରିଞ୍ଜ କିମ୍ବା ଔଷଧ ବଦଳରେ କିରୋସିନ ବୋତଲ। କିରୋସିନ୍ ନିଜ ଦେହରେ ଢାଳି ଜୀବନ ହାରିବାକୁ ଉଦ୍ୟମ ରାଜ୍ୟ ଶାସନ କେନ୍ଦ୍ରର ମାତ୍ର କିଛିଦୂରରେ। ଆଜି ମଧ୍ୟାହ୍ନରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିବାବେଳେ ଅନ୍ୟଜଣେ ଚଳନ୍ତା ଗାଡ଼ି ଆଗକୁ ମାଡ଼ି ଯାଉଥିବା ବେଳେ ଅଟକାଇଥିଲେ ସୁରକ୍ଷା କର୍ମୀ। ସୌଭାଗ୍ୟବଶତଃ ଉଭୟେ ବର୍ତ୍ତି ଯାଇଥିଲେ । ୧୮ ଦିନ ଧରି ରାଜରାସ୍ତାରେ ଶୀତ କାକରରେ ପଡ଼ି ରହିବା ପରେ ଏହି ଏଏନ୍ଏମମାନଙ୍କର ଘଟିଥିଲା ଧୈର୍ଯ୍ୟଚ୍ୟୁତି ।

ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ ନ କରିବାରୁ ଏଭଳି ରାସ୍ତା ଆପଣେଇବାକୁ ବାଧ୍ୟ ହୋଇଥିବା କହିଛନ୍ତି ଆତ୍ମହୁତି ଉଦ୍ୟମ କରିଥିବା ଦୁଇ ଏଏନ୍ଏମ୍ କର୍ମୀ। ତେବେ ଚେତାବନୀ ଦେଇଛନ୍ତି ସେମାନଙ୍କ ଦାବି ପୂରଣ ନହେଲେ ସମୂହ ଆତ୍ମାହୁତି ଦେବେ।

ଏଏନଏମ ଆନ୍ଦୋଳନକୁ ଆଜି ୧୮ ଦିନ ପୂରିଛି। ପ୍ରାୟ ସପ୍ତାହେ ହେଲା ଆନ୍ଦେଳନକାରୀଙ୍କ ମଧ୍ୟରୁ କେତେଜଣ ଅନଶନରେ ମଧ୍ୟ ବସିଛନ୍ତି।  କୋଭିଡ୍ ମୁକାବିଲା ପାଇଁ ପଞ୍ଚାୟତସ୍ତରରେ ହୋଇଥିବା କୋଭିଡ୍ କେୟାର ହୋମରେ ଏମାନେ ନିୟୋଜିତ ଥିଲେ। ତେବେ ୩ ମାସ ସେବା ଯୋଗାଇବା ପରେ ସେମାନଙ୍କୁ ଛଟେଇ କରାଯାଇଥିଲା। ଏବେ ଦାବି କରିଛନ୍ତି, ଖାଲି ପଡ଼ିଥିବା ଏଏନ୍ଏମ୍ ପଦବିରେ ସେମାନଙ୍କୁ ସରକାର ସ୍ଥାୟୀ ନିଯୁକ୍ତି ଦିଅନ୍ତୁ।

କରୋନା ମହାମାରୀ ବେଳେ ଜୀବନକୁ ବାଜି ଲଗାଇ ସେବା କରିଥିବା ଏହି କରୋନା ଯୋଦ୍ଧାଙ୍କ ଅବସ୍ଥା ଯଦି ଏଭଳି ହେବ, ତେବେ ଆଗାମୀ ଦିନରେ ସମୂହ ଟୀକାକରଣ କିଭଳି ହେବ, ତାହା ମଧ୍ୟ ଏବେ ପ୍ରଶ୍ନ ଘେରରେ ।

You might also like