ଏମାର ମଠରେ ଭୂତଳ ଘର !

ପୁରୀ: ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଏକ ଭୂତଳ ଘର ଠାବ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ସ୍ଥାନୀୟ ଲୋକେ ଏହାକୁ ଭୂତଳ ଘର କହୁଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁରୀର ପୁରୁଣା ମଠ ମଧ୍ୟରେ ରହିଛି ଏମାର ମଠ। କିଛି ବର୍ଷ ତଳେ ଏହି ମଠରେ ରୂପା ଇଟା ମିଳିଥିଲା। ଯାହାକୁ ନେଇ ଏମାର ମଠ ଚର୍ଚ୍ଚାରେ ରହିଥିଲା।

ସୂଚନାଯୋଗ୍ୟ, ଆଜି ସକାଳେ ଏମାର ମଠରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୪ ମହଲା ବିଶିଷ୍ଟ ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦ ସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ।

ଉଚ୍ଛେଦ ବେଳେ ମିଳିଛି ଏକ ଭୂତଳ ଘର। ମଠର ତଳ ଭାଗରେ ଥିବା ଏହି ଘର ୯ଶହ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଅନୁମାନ କରାଯାଉଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାଯାଉଛି,  ଏହା ଏକ ଛଅ ଥାକିଆ ଘର। ଏଠାରେ ଖାଦ୍ୟ, ଶସ୍ୟ ସହ ଅନ୍ୟ ମୂଲ୍ୟବାନ ଆବଶ୍ୟକ ପଦାର୍ଥ ରଖାଯାଉଥିବା କୁହାଯାଉଛି।

ଦୁର୍ଭିକ୍ଷ ପଡ଼ିବା ବେଳେ ଏମାର ମଠରେ ଖାଦ୍ୟ ପଦାର୍ଥ ଗଛିିତ ରଖିବା, ଖାଦ୍ୟଶସ୍ୟରୁ ଅନ୍ନ ଛତ୍ର ଖୋଲିବା, ଯବନ ଆକ୍ରମଣବେଳେ ମୂଲ୍ୟବାନ ସାମଗ୍ରୀକୁ ଏହି ଭୂତଳ ଘରେ ଲୁଚାଇ ରଖାଯାଉଥିବା ଶୁଣିବାକୁ ମିଳୁଛି।

ଆଜି ଏହି ଘର ଉଚ୍ଛେଦ ପୂର୍ବରୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଯାଇଥିଲେ। ବର୍ଷ ବର୍ଷ ଧରି ଏହି ଘର ଗୁଡ଼ିକ ପରିତ୍ୟକ୍ତ ହୋଇ ପଡ଼ିରହିଥିବାରୁ ସାପ ଓ ବହୁ ସଂଖ୍ୟାରେ ଚେମିଣି ଥିବା ଦେଖିବାକୁ ମିଳିଛି। ସେଥିପାଇଁ ଏହି ଘରକୁ ଭଙ୍ଗା ଯିବା ପୂର୍ବରୁ ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ଭିତରକୁ ଯାଇଥିଲେ। ବହୁ ପୁରୁଣା ଘର ହୋଇଥିବାରୁ ଆଲୋକ ସଂଯୋଗ ହୋଇନାହିଁ ।  ଫଳରେ ଭୂତଳ ଘର ସମ୍ପର୍କରେ ସ୍ପଷ୍ଟ ସୂଚନା ହସ୍ତଗତ ହୋଇପାରିନି।  ସେପଟେ ଏମାର ମଠରୁ ଭୂତଳ ଘର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍କଣ୍ଠା ବଢ଼ିଛି। ବହୁ ସଂଖ୍ୟାରେ ଲୋକେ ଭୂତଳ ଘର ଦେଖିବାକୁ ପହଞ୍ଚୁଛନ୍ତି। 

ସୂଚନାଥାଉ କି,  ଗତକାଲି ମଠ ପରିସରରେ ଥିବା ଦୋକାନ ଏବଂ ମଠର ସମସ୍ତ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଉଚ୍ଛେଦ ହେବାକୁ ଥିବା ବ୍ରିଟିଶ୍ ଅମଳର ରଘୁନନ୍ଦନ ଲାଇବ୍ରେରୀର ମୂଲ୍ୟବାନ ପୁସ୍ତକ ଓ ନଥିପତ୍ର ସ୍ଥାନାନ୍ତର ମଧ୍ୟ କରାଯାଇଥିଲା। ଆଜି ସକାଳୁ ଏମାର ମଠ ଉଚ୍ଛେଦ କାମ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ

You might also like