କଲବଲ କରୁଛନ୍ତି ହାତୀପଲ: ମଞ୍ଚାରେ ରହୁଛି ମଣିଷ

ହାତୀ ଭୟରେ ଥରହର ଲୋକେ

  • ହାତୀ ଭୟରେ ଥରହର ଲୋକେ
  • ଗଛ ଉପରେ ମଞ୍ଚା କରି ରହୁଛନ୍ତି ଗ୍ରାମବାସୀ
  • ସମ୍ବଲପୁର ଯୁଜୁମୁରା ରୁଗୁଡିପଡ଼ାରେ ହାତୀ ଉପଦ୍ରବ
  • ଘର ଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ
  • ହାତୀ ଘଉଡ଼ାଇବା ସହ ପକ୍କା ଘର ପାଇଁ ଗ୍ରାମବାସୀଙ୍କ ଦାବି

ଯୁଜୁମରା(ସଞ୍ଜୟ କୁମାର ଜେନା): ହାତୀ ଭୟରେ ଥରହର ହେଉଛନ୍ତି ଲୋକେ। ଦନ୍ତା ହାତୀ ଘର ଦ୍ୱାର ଉଜାଡି ଦେଇଥିବା ବେଳେ ଲୋକେ ଏବେ ମଞ୍ଚା ଉପରେ ଜୀବନ କାଟୁଛନ୍ତି ଲୋକେ। ୩ ବର୍ଷ ହେଲାଣି, ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଜାରି ରହିଛି ଗ୍ରାମବାସୀଙ୍କ ସଂଘର୍ଷ।

ଭାଙ୍ଗି ପଡ଼ିଛି ଝାଟିମାଟିର ଘର। କେଉଁଠି କାନ୍ଥ ଭାଙ୍ଗି ପଡ଼ିଛି ତ ଆଉ କେଉଁଠି ଉଲୁରି ଯାଇଛି ଚାଳ ଛପର। ଆଜବେଷ୍ଟସ୍ ଓ ଟିଣ ଛପର ଘରର ବି ସମାନ ଅବସ୍ଥା। ଏସବୁ ଘର ଆଉ ରହିବା ଯୋଗ୍ୟ ହୋଇ ନାହିଁ। ସମ୍ବଲପୁର ଯୁଜୁମୁରା ବ୍ଲକ ବାରଲୋଇ ରୁଗୁଡିପଡା ଗାଁରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଅବସ୍ଥା କରିଛି ବଣୁଆ ହାତୀ। ଏବେ ହାତୀ ଭୟରେ ଥରହର ହେଉଛନ୍ତି ଗ୍ରାମବାସୀ। ମଞ୍ଚା ବାନ୍ଧି ଗଛ ଉପରେ କାଟୁଛନ୍ତି ଜୀବନ। ଘର ନିକଟରେ ଥିବା ଗଛରେ ସିଡି ବାନ୍ଧି ମଞ୍ଚା ଉପରକୁ ଯାଉଛନ୍ତି ଲୋକେ। ଆଉ ଗଛ ଉପରେ ଥିବା ମଞ୍ଚାରେ ୪ ରୁ ୫ ଜଣଙ୍କ ଶୋଇବା ପାଇଁ ବ୍ୟବସ୍ଥା ବି ହୋଇଛି। ଖାଲି ସେତିକି ନୁହେଁ, ମଞ୍ଚାରେ ନିଆଁ ହୁଳା ସହ କିରୋସିନ୍ ଓ ବାଣ ବି ରଖାଯାଇଛି। ବନ ବିଭାଗ କଥା ନ ଶୁଣିବାରୁ ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ଆପଣାଇଛନ୍ତି ଏଭଳି କିଛି ଉପାୟ।

ଦିନେ କି ଦୁଇ ଦିନ ନୁହେଁ, ୩ ବର୍ଷ ହେଲା ଗାଁରେ ଏଭଳି ଉପଦ୍ରବ ଚଳାଇଛି ଦନ୍ତା ହାତୀ। ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ ସବୁ ଖାଇ ଦେଉଛି ହାତୀ। ଆଉ ହାତୀ ଘଉଡ଼ାଇବା ପାଇଁ ଲୋକେ ଆପଣାଇଛନ୍ତି ନାନା ଉପାୟ। ଖାଲି ମଞ୍ଚା କାହିଁକି, ଗାଁ ରାସ୍ତାରେ ଲୋକେ ଦଉଡ଼ିରେ ଷ୍ଟିଲ୍ ଗ୍ଲାସ ଟଙ୍ଗାଇ ଏହାକୁ ଘଣ୍ଟି ଭାବେ ବ୍ୟବହାର କରୁଛନ୍ତି। ଯାହା ଦ୍ୱାରା ହାତୀ ଆସିଲେ ଘଣ୍ଟି ଶବ୍ଦ ହେଲେ ସହଜରେ ଜାଣି ହେବ ଏବଂ ଲୋକେ ହାତୀ ଘଉଡ଼ାଇବାକୁ ସକ୍ଷମ ହେବେ। ଯାହାର ଛାତ ଘର ଅଛି ସେମାନେ ତ ଛାତ ଉପରକୁ ଚାଲିଯାଉଛନ୍ତି, ମାତ୍ର ପକ୍କା ଘର ନଥିବା ଲୋକେ ହେଉଛନ୍ତି ଦହଗଞ୍ଜ। ଏ ନେଇ ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ । ଅନ୍ୟପଟେ କ୍ଷତିଗ୍ରସ୍ତଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ଡିଏଫ୍ଓ କହିଛନ୍ତି।

You might also like