ବଢୁଛି ହାତୀ-ମଣିଷ ଲଢ଼େଇ

୭ ବର୍ଷରେ ୫୭୦ ମଣିଷ, ୬୧୮ ହାତୀଙ୍କ ମୃତ୍ୟୁ

ସୁନ୍ଦରଗଡ଼  : ବନ କର୍ମଚାରୀଙ୍କ ଅାଗରେ ହାତୀ ଅାକ୍ରମଣରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ୨ କୁନି ପୁଅର ଏ କ୍ଷୋଭ ଅମୂଳକ ନୁହେଁ। ସୋଶାଲ୍ ମିଡିଅାରେ ଭାଇରାଲ୍ ହୋଇଥିବା ଭିଡିଓ ବଖାଣୁଛି ଅାତ୍ମୀୟଙ୍କୁ ହରାଇଥିବା ପରିବାରର ଦୁର୍ଦ୍ଦଶାର କାହାଣୀ।

କେତେବେଳେ ହାତୀ ପଛରେ ମଣିଷ ତ କେତେବେଳେ ମଣିଷ ପଛରେ ହାତୀ ଦିନକୁ ଦିନ ତୀବ୍ର ହେଉଛି। ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ରେଞ୍ଜର ଉଧପଡ଼ା ଗାଁରେ ଉତ୍ପାତ କରୁଛି ହାତୀ।  ଗାଁ ଲୋକେ ବି ହାତୀ ଘଉଡ଼ାଇବା ପାଇଁ ଅାପଣାଉଛନ୍ତି ଯଥାସମ୍ଭବ ପନ୍ଥା।

ଏପଟେ ବଣାଇ ବନଖଣ୍ଡ ବାଙ୍କି ରେଞ୍ଜ୍ ଅାମରୁଡ଼ି ଗାଁରେ ହାତୀ ଅାକ୍ରମଣରେ ପ୍ରାଣ ହରାଇଛି ୧୦ବର୍ଷୀୟ ବାଳକ ବିଶ୍ୱନାଥ ମୁଣ୍ଡା। ଏହାକୁ ନେଇ ପ୍ରକାଶ ପାଇଥିଲା ଉତ୍ତେଜନା। ତଥ୍ୟ କହୁଛି ୨୦୧୦-୧୧ରୁ ୧୭-୧୮ ମଧ୍ୟରେ ରାଜ୍ୟରେ ୫୭୦ ଜଣଙ୍କ ଜୀବନ ନେଇଛି ହାତୀ । ଏହି ସମୟରେ ବିଭିନ୍ନ କାରଣରୁ ୬୧୮ ହାତୀର ଜୀବନ ଯାଇଛି।

ହାତୀ ଅାକ୍ରମଣରେ ମୃତକଙ୍କ ପାଇଁ ସହାୟତା ରାଶିକୁ ସରକାର ୪ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ସତ, ମାତ୍ର ଏହା ପାଇବା ପାଇଁ ରହିଛି ଲମ୍ବା ପ୍ରକ୍ରିୟା।  ବନବିଭାଗ ସହ ପୁଲିସ ଓ ରାଜସ୍ୱ ବିଭାଗର ମିଳିତ ଯାଞ୍ଚ ପରେ ହିଁ ଏହି ଟଙ୍କା ମିଳୁଛି। ତେଣୁ ନିୟମକୁ କୋହଳ କରି କେବଳ ରେଞ୍ଜର୍ ଓ ସ୍ଥାନୀୟ ସରପଞ୍ଚଙ୍କ ରିପୋର୍ଟ ଅାଧାରରେ ସହାୟତା ରାଶି ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି ବନ ବିଭାଗ। ତେବେ ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ୍ କହିଛନ୍ତି, ମୃତକଙ୍କ ପରିବାରକୁ ୧୫ ଦିନ ଭିତରେ ଅନୁକମ୍ପା ରାଶି ପ୍ରଦାନ କରାଯାଉଛି।

କେବଳ କ୍ଷତିପୂରଣ କି ସହାୟତା ହାତୀ-ମଣିଷ ଲଢ଼େଇ ରୋକିବାକୁ ଯଥେଷ୍ଟ ନୁହେଁ , ବରଂ ଏଥିପାଇଁ ସଚେତନତା ଓ ବନୀକରଣ ଉପରେ ଗୁରୁତ୍ୱ ଦିଅାଯିବା ଅାବଶ୍ୟକ ହୋଇପଡ଼ିଛି।

You might also like