କେମିତି ମରୁଛନ୍ତି ହାତୀ? ଜାଣନ୍ତୁ କଣ କହୁଛି ବନ ବିଭାଗ

ହାତୀ ମଡକ ବଢିବାରେ ଲାଗିଛି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ବଢିବାରେ ଲାଗିଛି। ପାଖାପାଖି ୧୩ ଦିନ ଭିତରେ ଗଲାଣି ପାଞ୍ଚ ପାଞ୍ଚଟି ହାତୀଙ୍କ ଜୀବନ। କେବଳ ଘୁଷୁରିଗୁଡି ଝରଣା ନିକଟରେ ଚାରିଟି ହାତୀଙ୍କ ମୃତଦେହ ମିଳିଛି। ଭୂତାଣୁ ଜନିତ ରୋଗ ହାମରେଜ୍ ସେପ୍ଟିସେମିଆ ହାତୀଙ୍କ ମୃତ୍ୟୁ ହୋଇଥିବା କହିଛି ବନ ବିଭାଗ।

କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ପରେ ଆରମ୍ଭ ହୋଇଛି ସମୂହ ଟିକାକରଣ। ଆଖପାଖ ଅଞ୍ଚଳର ସବୁ ଗୃହ ପାଳିତ ପଶୁ ପକ୍ଷୀଙ୍କୁ ଟିକା ଦିଆଯାଉଛି। ନଦୀ, ନାଳରେ ବ୍ଲିଚିଂ ପକାଇ ବିଶୁଦ୍ଧ କରାଯାଉଥିବା ବି ଦେଖିବାକୁ ମିଳିଛି। ହାତୀ ମୃତ୍ୟୁ ପଛର କାରଣ ଜାଣିବାକୁ କ୍ୟାମେରା ଲଗାଯିବ ବୋଲି କହିଛନ୍ତି ଡିଏଫଓ। କର୍ଲାପାଟ ଅଭୟାରଣ୍ୟରେ ଥିବା ୧୭ଟି ହାତୀଙ୍କ ମଧ୍ୟରୁ ଏବେ ୫ଟିର ମୃତ୍ୟୁ ହୋଇ ସାରିଥିବା ନେଇ ସୂଚନା ମଧ୍ୟ ରହିଛି।

ଏପଟେ ରେଢାଖୋଲ ଡିଭିଜନର ନାକଟି ଦେଉଳ ରେଞ୍ଜ ଚଡଚଡି ଜଙ୍ଗଲରୁ ମିଳିଥିବା ଛୁଆ ହାତୀର ମୃତ୍ୟୁ ଆନ୍ଥ୍ରାକ୍ସ ଯୋଗୁଁ ହୋଇଥିବା ସନ୍ଦେହ କରୁଛି ବନବିଭାଗ। କିନ୍ତୁ ଅଧିକ ପରୀକ୍ଷା ପାଇଁ ମୃତ ହାତୀର ମାଂସ ଓ ରକ୍ତ ନମୁନା ଓୟୁଏଟି ପଠାଯାଇଛି। ଜଳ ସଂକ୍ରମଣ ଆଶଙ୍କା କରି ଜଙ୍ଗଲରେ ଥିବା ପୋଖରିକୁ ପୋତି ଦିଆଯିବା ସହ ଆଖପାଖ ଅଞ୍ଚଳରେ ଥିବା ଜଳାଶୟରେ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରାଯାଇଛି।

ରେଢାଖୋଲ ଡିଭିଜନରେ ବର୍ଷକ ଭିତରେ ତିନିଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ ଦୁଇଟି ଆନ୍ଥ୍ରାକ୍ସ ଜନିତ ବୋଲି କହିଛି ବନ ବିଭାଗ। ତେବେ ରିପୋର୍ଟ ଆସିବା ପରେ ଛୁଆ ହାତୀର ମୃତ୍ୟୁ କାରଣ ଜଣାପଡିବ।

କଳାହାଣ୍ଡିରୁ ରାଜକୁମାର ସିଂଦେଓ ଏବଂ ରେଢାଖୋଲରୁ ରମାକାନ୍ତ ମହାନନ୍ଦଙ୍କ ରିପୋର୍ଟ 

You might also like