ବିଜୁଳି ଦର ବଢିବାକୁ ନେଇ ତେଜୁଛି ଅସନ୍ତୋଷ

ବିରୋଧୀଙ୍କ ଟାର୍ଗେଟରେ ସରକାର

  • ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ନେଇ ତେଜୁଛି ଅସନ୍ତୋଷ
  • ଖାଉଟି କ୍ଷୁବ୍ଧ, ରାସ୍ତାକୁ ଓହ୍ଲାଇଲେଣି ସଂଗଠନ
  • ବିରୋଧୀଙ୍କ ଟାର୍ଗେଟରେ ସରକାର
  • ବିଜେଡି କହିଲା, ଭିତ୍ତିଭୂମି ବିକାଶ ଲାଗି ଜରୁରୀ
  • ଏପ୍ରିଲ୍ ୪ରୁ ବିଦ୍ୟୁତ୍‌ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବଢିବ

ଭୁବନେଶ୍ୱର: ଏପ୍ରିଲ ୪ରୁ ବିଦ୍ୟୁତ୍‌ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବଢାଇବା ଲାଗି OERCର ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଉଛି। ସରକାରଙ୍କ ନିଷ୍ପତ୍ତିକୁ ନେଇ ଉପଭୋକ୍ତାଙ୍କ ଅସନ୍ତୋଷ ବଢୁଥିବା ବେଳେ ରାସ୍ତାକୁ ଓହ୍ଲାଇଲେଣି ସାମାଜିକ ସଂଗଠନ। ଅଘୋଷିତ ବିଦ୍ୟୁତ୍ କାଟ୍ ଓ ଲୋ ଭୋଲଟେଜ୍ ସମସ୍ୟାରୁ ନିସ୍ତାର ମିଳୁନଥିବା ବେଳେ ଦର ବୃଦ୍ଧି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ। ସେହିପରି ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଜବାବ ରଖିଛି ବିଜେଡି।

ଗଲା କିଛିଦିନ ପୂର୍ବରୁ ରାଜ୍ୟରେ ୟୁନିଟ୍ ପିଛା ୨୦ ପଇସା ବଢିଥିଲା ବିଦ୍ୟୁତ୍ ଶୁଳ୍କ। ଆସନ୍ତା ଏପ୍ରିଲ ୪ରୁ ପୁଣି ବଢିବ ୩୦ ପଇସା ଶୁଳ୍କ। ଓଇଆର୍ସିର ଏଭଳି ନିଷ୍ପତ୍ତିକୁ ନେଇ ତେଜୁଛି ଅସନ୍ତୋଷ। ଉପଭୋକ୍ତାଙ୍କ ଯୁକ୍ତି, ଗତ ମେ ମାସରେ ସରକାର ପ୍ରତିଶ୍ରୁତି ଦେଇଥିଲେ ବିଜୁଳି ଦର ବଢ଼ିବନି। ହେଲେ ଟାଟା ପାଓ୍ୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରେ ସରକାର ଅୋବରରେ ହଠାତ୍ ଦର ବଢ଼ାଇଥିଲେ। କରୋନା ମହାମାରୀ ମାଡ଼ରୁ ଅଣ୍ଟା ସଳଖି ଠିଆ ହେବା ଲାଗି ସଂଗ୍ରାମ କରୁଥିବା ସାଧାରଣ ଲୋକଙ୍କ ଲାଗି ଏହା ବେଡି ଉପରେ କୋରଡ଼ା ମାଡ଼ ଭଳି ହୋଇଥିବା ବେଳେ ପୁଣି ଦର ବଢାଇବାକୁ ହୋଇଛି ନିଷ୍ପତ୍ତି। ତେବେ ସରକାର ଯୁକ୍ତି ଦର୍ଶାଇଥିଲେ ଉନ୍ନତ ସେବା ଯୋଗାଣ ଲାଗି ଦର ବଢିବା ଜରୁରୀ।

ମାତ୍ର ସରକାର କେତେ ଉନ୍ନତମାନର ସେବା ଯୋଗାଉଛନ୍ତି ସେ କଥା ନକହିବା ଭଲ। ଅନେକ ସ୍ଥାନରେ ସଠିକ୍‌ ଭାବରେ ବିଜୁଳି ମିଳିପାରୁନଥିବା କାରଣରୁ ଗରମରେ ହିନସ୍ତା ହେଉଛନ୍ତି ଲୋକେ। ତେବେ ଆଜି କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଗାଙ୍ଗପୁରରେ। ଗରମରେ ଆଉଟୁପାଉଟୁ ହେଉଛନ୍ତି ରାଜଗାଙ୍ଗପୁରର ଚିତ୍ତରଂଜନ ସାହୁଙ୍କ ପରିବାର। ତାତି ବଢି ଚାଲିଥିବା ବେଳେ ବଢିଚାଲିଛି ଅଘୋଷିତ ବିଦ୍ୟୁତ୍ କାଟ। ରାଜ୍ୟର ଗ୍ରାମାଞ୍ଚଳରେ ତ ସ୍ଥିତି ଆହୁରି ଖରାପ ହୋଇଛି। ଲୋ ଭୋଲ୍ଟେଜ୍ ସାଙ୍ଗକୁ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଛି। ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ଏଭଳି ସ୍ଥିତି। ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ନେଇ ଲୋକେ କ୍ଷୁବ୍ଧ ଅଛନ୍ତି। ଦର ବୃଦ୍ଧି ପ୍ରତିବାଦରେ ଆଜି ବ୍ରହ୍ମପୁରର ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ବି କରାଯାଇଛି।

ବିଜୁଳି ଶୁଳ୍କ ବୃଦ୍ଧିକୁ ନେଇ ବି ଜୋର ଧରିଛି ରାଜନୀତି। ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଏହା ଗରିବ ମାରଣ ନୀତି ବୋଲି କହିଛନ୍ତି। ଦିଲ୍ଲୀରେ ବିଦ୍ୟୁତ୍ ଉତ୍ପାଦନ ହେଉନଥିଲେ ବି ୟୁନିଟ୍ ପିଛା ଏକ ଟଙ୍କାରେ ବିଜୁଳି ମିଳୁଥିବା କହିଛି ବିଜେପି। ରାଜ୍ୟରେ ବିଜୁଳି ଟିକସ ବାବଦକୁ ଆଦାୟ ଅର୍ଥ ବାଟମାରଣା ହେଉଥିବା ଦଳ ଆଶଙ୍କା କରିଛି। ଅନ୍ୟପକ୍ଷରେ ବିଦ୍ୟୁତ୍ କମ୍ପାନି ଓ ସରକାରଙ୍କ ଅପାରଗତାକୁ ଲୁଚାଇବାକୁ ଜନ ସାଧାରଣ ଉପରେ ବୋଝ ଲଦାଯାଉଥିବା ଅଭିଯୋଗ କରିଛି କଂଗ୍ରେସ। ତେବେ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଣ ଓ ଭିତ୍ତିଭୂମି ବିକାଶ ଲାଗି ଦର ବଢ଼ାଯାଇଥିବା ଯୁକ୍ତି କରିଛି ବିଜେଡି।

 

You might also like