ସୌଭାଗ୍ୟ ଯୋଜନା ଏବେ ଦୁର୍ଭାଗ୍ୟ ଯୋଜନା

ସୁବର୍ଣ୍ଣପୁର/ ମୟୂରଭଞ୍ଜ(ଦିଲ୍ଲୀପ କୁମାର ସାହୁ/ରାଜେଶ କୁମାର ଶର୍ମା): ଘରେ ଘରେ ପହଞ୍ଚିବ ବିଦ୍ୟୁତ୍‌ ସେବା। କେହିବି ଅନ୍ଧାରରେ ରହିବେନି। ଏଇ ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସୌଭାଗ୍ୟ ଯୋଜନା। ହେଲେ ସୌଭାଗ୍ୟ ଯୋଜନା ସୁବର୍ଣ୍ଣପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଦୁର୍ଭାଗ୍ୟ ଯୋଜନା ପାଲଟିଥିବା ଅଭିଯୋଗ ହୋଇଛି।

ଉଭୟ ଜିଲ୍ଲାରେ ସୌଭାଗ୍ୟ ଯୋଜନାରେ ଘରେ ଘରେ ବିଦ୍ୟୁତ୍‌ ସଂଯୋଗ ହୋଇଛି। ହେଲେ ଲାଇନ୍ ନାହିଁ। ଫଳରେ ଅନ୍ଧାରରେ କଟୁଛି ରାତି। ବିଜୁଳି ଆଲୁଅ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଗୁହାରି କରିଛନ୍ତି ଗ୍ରାମବାସୀ। ତଥାପି କିଛି ଲାଭ ହୋଇନି। ଦୀର୍ଘ ଦିନ ହେଲା ଅନ୍ଧାରରେ ରହିଛନ୍ତି ଉଭୟ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରହୁଥିବା ଅନେକ ଗାଁ ଲୋକେ।

ଉଭୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତା ହୋଇ ତାର ବି ଟଣା ହୋଇଛି। ଘରେ ଘରେ ମିଟର ବସିଛି, ହେଲେ ଜଳୁନି ବତି। ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ଅନ୍ଧାରରେ ଅଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସିଂଘିଯୁବା ଗାଁର ଲୋକେ। ଦିନରେ ଯାହା ସେମିତି ଚଳିଯାଉଛି।

ହେଲେ ରାତି ହେଲେ ମାଡ଼ି ବସୁଛି ଚିନ୍ତା। ପିଲାଏ ପାଠ ପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବୟସ୍କ ମଧ୍ୟ ଏଥିରୁ ବାଦ ପଡୁ ନାହାନ୍ତି। ସୌଭାଗ୍ୟ ଯୋଜନାରେ ଘରେ ବିଦ୍ୟୁତ୍‌ ସଂଯୋଗ ହୋଇଥିଲେ ବି ଆଲୁଅ ପାଇଁ ଆଜିଯାଏ ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କରୁଛନ୍ତି ଲୋକେ।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର କଳରଦା, ମୁର୍ଗାଗୁଟୁ ଓ ସମିଳିନାଳି ଗାଁରେ ବି ସମାନ ଅବସ୍ଥା । ୨୦୧୮ ମସିହାରେ ସୌଭାଗ୍ୟ ଯୋଜନାରେ ଶହେରୁ ଅଧିକ ବିପିଏଲ୍ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ବର୍ଷେରୁ ଅଧିକ ଦିନ ବିତିଥିଲେ ବି ଲାଇନ୍‌ର ଦେଖାନାହିଁ।

ପ୍ରତି ପରିବାର ପିଛା ୩ ଶହ ଟଙ୍କା ଦେଲେ ଲାଇନ ଦେବେ ବୋଲି ବିଭାଗୀୟ ଅଧିକାରୀ କହୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଟଙ୍କା ଆଦାୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସଡିଓ। ପର୍ଯ୍ୟାୟକ୍ରମେ ଲୋକଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

 

You might also like