ଧୀରେ ଧୀରେ ସ୍ୱାଭାବିକ ହେଉଛି ଟ୍ୱିନ୍‌ସିଟିରେ ବିଦ୍ୟୁତ୍‌ ସେବା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ୬ଦିନ ପରେ ରାଜଧାନୀରେ ବିଜୁଳି ମରାମତି କାମ ଜୋରଦାର ହୋଇଛି। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଶ୍ରମିକ ବିଦ୍ୟୁତ୍‌ ଖୁଣ୍ଟ ଓ ତାରକୁ ସଜାଡ଼ିବାରେ ଲାଗିଛନ୍ତି। ପ୍ରଥମେ ୩୩ କେଭି ଓ ପରେ ୧୧ କେଭି ତାରକୁ ସଜଡ଼ା ଯାଇଛି। ଏହାସହ ଗତକାଲି ସୁଦ୍ଧା ରାଜଧାନୀର ବହୁ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।

ରସୁଲଗଡ଼, କଳ୍ପନା, ପୁରୀ ରୋଡ୍‌, ଲକ୍ଷ୍ମୀସାଗର, ଜନପଥ, ମାର୍କେଟ ବିଲ୍‌ଡିଂ, ସୂଚନା ଭବନ, ୟୁନିଟ୍-୬, ଗଙ୍ଗନଗର, ମଧୁସୂଦନ ନଗର, ଶାସ୍ତ୍ରୀନଗର, ରାମ ମନ୍ଦିର, ୟୁନିଟ୍-୨, ୟୁନିଟ-୩, ଗିରି ଦୁର୍ଗା, ସହିଦନଗର ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଛି।

ବ୍ରହ୍ମେଶ୍ୱର, ଲିଙ୍ଗରାଜ, ବିଜେବି ନଗର, ରାଜାରାଣୀ, ମାଉସୀ ମାଆ, ବଡ଼ଗଡ଼, ପୋଖରୀପୁଟ, ଜାମୁକୋଳି, ଭୀମଟାଙ୍ଗୀ ଅଞ୍ଚଳର କିଛି ଅଂଶରେ ବିଦ୍ୟୁତ୍‌ ସେବା ଠିକ୍ ହୋଇଥିବାବେଳେ ୧୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଠିକ୍ ହୋଇଯିବ ବୋଲି ଜଣାପଡ଼ିଛି।

ସେହିପରି ଭିଏସଏସ୍ ନଗରର ଅଧା ଅଞ୍ଚଳରେ ଆଜି ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ତେବେ କଳ୍ପନା-୧ ଓ ୨ ସହ ଝାରପଡ଼ାରେ କୌଣସି ମୁହୂର୍ତ୍ତରେ ବିଜୁଳି ସଂଯୋଗ କରାଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷେ, ପଟିଆ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସ୍ୱାଭାବିକ କରିବା ଲାଗି ଜୋରଦାର ଉଦ୍ୟମ ଜାରି ରହିଛି। ଚନ୍ଦକା ପିଜିସିଆଇଏଲ୍‌ର ୪ ଶହ କେଭି ଟାଓ୍ୱାର ସ୍ଥାନରେ ଅସ୍ଥାୟୀ ଟାଓ୍ୱାର ଠିଆ ହୋଇଛି। ଏଠି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ବେଳେ ଆଜି ଅସ୍ଥାୟୀ ଟାଓ୍ୱାରରେ ବିଜୁଳି ସରବରାହ ହୋଇପାରିବ ବୋଲି ପିଜିସିଆଇଏଲ କର୍ତ୍ତୃପକ୍ଷ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠି ସ୍ଥିତି ସମୀକ୍ଷା କରିଛନ୍ତି।

କଟକରେ ମଧ୍ୟ ସ୍ଥିତିରେ ଉନ୍ନତି ଆସିଛି। ତେବେ ପୁରୀକୁ ୨ ହଜାର କର୍ମଚାରୀ ଯାଇଥିଲେ ବି  ବିଦ୍ୟୁତ୍‌ ଆସିବାକୁ ମାସେରୁ ଅଧିକ ସମୟ ଲାଗିବ ବୋଲି ଆଶଙ୍କା କରାଯାଉଛି।

You might also like