ଘରେ ଜଳୁନି ଆଲୁଅ ହେଲେ ମାସକୁ ମାସ ଆସୁଛି ବିଲ୍‌

ବାରିପଦା(ମାଣିକଲାଲ୍‌ ପାଣି): ଗାଁ ଗାଁକୁ ବିଜୁଳି ପହଞ୍ଚାଇବା ଲକ୍ଷ୍ୟ ପୂରା ହେବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ହେଲେ ରାଜ୍ୟରେ ଏମତି ଅନେକ ଗାଁ ଅଛି ଯେଉଁଠାରେ ବିଜୁଳି ସାତ ସପନ ପାଲଟିଛି। ଘରେ ଘରେ ତାର ଲାଗି ମିଟର ବସିଛି ହେଲେ ବିଜୁଳିର ଦେଖା ନାହିଁ। ଏମିତିରେ ମାସକୁ ମାସ ବିଜୁଳି ବିଲ୍ ଘରକୁ ଆସିବା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।

ଖୁଣ୍ଟି ପୋତା ହୋଇ ଗାଁକୁ ବିଜୁଳି ସଂଯୋଗ ହୋଇଛି। ଘରେ ଘରେ ସରକାରଙ୍କ ତରଫରୁ ମିଟର ବି ଲାଗିଛି।  ହେଲେ ବିଜୁଳି ଆଲୁଅ ସାତସପନ ପାଲଟିଛି। ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଯୋଗୀ ନୂଆଗାଁ ପଞ୍ଚାୟତର ଫାଇଲିନ୍ ବାତ୍ୟା ପରେ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ଠିକା କମ୍ପାନୀ ଗାଁକୁ ବିଜୁଳି ସଂଯୋଗ କରିଥିଲେ। ହେଲେ ଏପର୍ଯ୍ୟନ୍ତ କିଛି ପରିବାରକୁ ବିଜୁଳି ମିଳିନଥିବାବେଳେ ପ୍ରତିମାସରେ ଆସୁଥିବା ବିଜୁଳି ବିଲ୍ ଲୋକଙ୍କ ଚିନ୍ତା ବଢ଼ାଇଛି।

ଯୋଗୀ ନୂଆଗାଁ ପଚାଂୟତ ଡିଙ୍ଗିରା ଢିପାସାହିରେ ୨୬ଟି ଆଦିବାସୀ ପରିବାର ବସବାସ କରନ୍ତି। ୨୦୧୮ ମସିହାରେ ରାଜୀବ ଯୋଜନାରେ ସମସ୍ତ ଘରକୁ ସର୍ଭେ କରାଯାଇ ବିଦ୍ୟୁତ୍ ସଂଯୋଗ ମଧ୍ୟ କରାଯାଇଥିଲା।  ହେଲେ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ବିଜୁଳିର ଦେଖା ନାହିଁ। ସାତ ଦିନ ଭିତରେ ଆବଶ୍ୟକ କାଗଜପତ୍ର ଯୋଗାଡ଼ କରି ସମସ୍ତଙ୍କୁ ବିଦ୍ୟୁତ୍‌ ଯୋଗାଇ ଦେବାକୁ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

You might also like