୧୨ ଦିନ ପରେ ଆଲୋକିତ ହେଲା ଶ୍ରୀମନ୍ଦିର

ପୁରୀ ସହର ଏବେ ବି ଅନ୍ଧାର

ପୁରୀ/ ଖୋର୍ଦ୍ଧା/ ଜଗତସିଂହପୁର : ତୋଡ଼ ଦେଖାଇ ବାତ୍ୟା ଫୋନି ଫେରି ଯିବାର ୧୨ ଦିନ ବିତି ଗଲାଣି, ହେଲେ ପର୍ଯ୍ୟଟନର ସହର ପୁରୀରେ କିନ୍ତୁ ସରୁନି ଅନ୍ଧାରର ରାଜୁତି। ପ୍ରାୟ ଦେଢ଼ ସପ୍ତାହ ପରେ ଆଜି ଶ୍ରୀମନ୍ଦିରରେ ବିଦ୍ୟୁତ୍ ସରୋବରାହ ତ ସ୍ୱାଭାବିକ ହୋଇଛି, କିନ୍ତୁ ସହରବାସୀଙ୍କ ଘରେ କେବେ ଚାଲିବ ଲାଇଟ୍ ଓ ପଙ୍ଖା ନିର୍ଦ୍ଦିଷ୍ଟ ଭାବେ ସେ ଉତ୍ତର କାହା ପାଖରେ ନାହିଁ।

ତେବେ ଯଥାଶୀଘ୍ର ଶ୍ରୀକ୍ଷେତ୍ର ଓ ସମଗ୍ର ପୁରୀ ଜିଲ୍ଲାକୁ ବିଦ୍ୟୁତ୍ ଯୋଗାଣ ନେଇ ଆଜି ସମୀକ୍ଷା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। ଏଣେ କିନ୍ତୁ ସମ୍ପୂର୍ଣ୍ଣ ପୁରୀ ସହରରେ ବିଜୁଳି ଜଳିବାକୁ ଆହୁରି ସପ୍ତାହେ ଲାଗିବ ବୋଲି କହିଛନ୍ତି ଜିଲ୍ଲାପାଳ। ଆଉ ଗ୍ରାଉଣ୍ଡ ଜିରୋରେ କ୍ଷୟକ୍ଷତି ଦେଖି ସ୍ଥିତି ପରଖୁଥିବା ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଆକଳନ ୧୫-୨୦ ଦିନ ପୂର୍ବରୁ ଏହା ସମ୍ଭବ ନୁହେଁ। କାରଣ ବାତ୍ୟାରେ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି ପୁରୀ ସହରକୁ ବିଦ୍ୟୁତ୍ ଯୋଗାଣ କରୁଥିବା ତିନିଟି ଯାକ ଉତ୍ସ।

ଜରୁରୀକାଳୀନ ସ୍ଥିତିରେ ଗତକାଲି ନିମାପଡ଼ା-ଗୋପ ୧୩୨ କେଭି ଉତ୍ସକୁ ସଜଡ଼ା ଯାଇଥିଲେ ବି ଏଯାଏଁ ଅଚଳ ରହିଛି ଖୋର୍ଦ୍ଧା-ପୁରୀ ୧୩୨ କେଭି ଷ୍ଟେସନ। ତେବେ ସବୁଠୁ ବଡ଼ ଉତ୍ସ ଭାବେ ପାଣ୍ଡିଆବିଲି-ସମଗରା ୨୨୦ କେଭି ସୋର୍ସକୁ କାର୍ଯ୍ୟକ୍ଷମ କରିବାକୁ ଅଧିକ ସମୟ ଲାଗିବ ବୋଲି କହିଛନ୍ତି ଓପିଟିସିଏଲ୍ ଅଧିକାରୀ।

ପୁରୀ ଭଳି ବାତ୍ୟା ମାଡ଼ରେ ଘାଇଲା ବାଣିଜ୍ୟିକ ସହର ଜଟଣୀ ଅବସ୍ଥା ବି ସଂଗୀନ। କେବେ ଆସିବ ଲାଇନ୍, ସେ ଉତ୍ତର କାହା ପାଖରେ ନାହିଁ। ଜଟଣୀ ସହର ରାଜଧାନୀଠୁ ମାତ୍ର ୨୫ କିଲୋମିଟର ଦୂର ସାଙ୍ଗକୁ ଏହା ଇଷ୍ଟକୋଷ୍ଟ ରେଲେଓ୍ୱର ଏକ ବଡ଼ ଜଙ୍କସନ। ହେଲେ ସନ୍ଧ୍ୟା ନଇଁଲେ ଏଠି ରାଜୁତି କରୁଛି କିଟି କିଟି ଅନ୍ଧାର। ବିଦ୍ୟୁତ୍ ବିଭାଗ ହେଉ କି ପ୍ରଶାସନ ଯେମିତି ସମସ୍ତେ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି।

ଉଭୟ ଜଟଣୀ ପୌରାଞ୍ଚଳ ସହ ଗ୍ରାମାଞ୍ଚଳରେ ପ୍ରାୟ ୯୦ ପ୍ରତିଶତ ବିଦ୍ୟୁତ୍ ଖୁଣ୍ଟ ଧରାଶାୟୀ ହୋଇଛି। ସେ ସବୁକୁ ଛିଡ଼ା କରି ପୁଣି ଲାଇନ୍ ସଂଯୋଗ ଦେବା ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲେ ବି ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ କାମ ମନ୍ଥର ଗତିରେ ଚାଲିଛି, ଏମିତି ଅବସ୍ଥାରେ ପରିବର୍ତ୍ତନ ନହେଲେ କେବଳ ସହର ସମ୍ପୂର୍ଣ୍ଣ ଆଲୋକିତ ହେବାକୁ ମାସେରୁ ଅଧିକ ସମୟ ଲାଗିଯିବ। ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ।

ତେଣେ ବିଜୁଳି ପାଇଁ ଲୋକଙ୍କ ଧୈର୍ଯ୍ୟ ଭାଙ୍ଗି ଚାଲିଛି। ଏ ଦୃଶ୍ୟ ଜଗତସିହଂପୁର ଜିଲ୍ଲା ରଘୁନାଥପୁରର ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦାବିରେ କଟକ-ପାରାଦୀପ ରାସ୍ତାକୁ ରଘୁନାଥପୁର ବଜାର ନିକଟରେ ଅବରୋଧ କରିଥିଲେ ଲୋକେ। ପୁଲିସ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲେ ବି ଅସନ୍ତୋଷ କିନ୍ତୁ କୁହୁଳୁଛି।

You might also like