ଏମିତି ବି ଆସେ ମୃତ୍ୟୁ ; ଲୁଗା ଶୁଖାଇବା ବେଳେ ବିଜୁଳି ନେଲା ଜୀବନ

ସାଲେପୁର /ଜଗତସିଂପୁର  : ମୃତ୍ୟୁ ଯେକୌଣସି ବ୍ୟକ୍ତିଙ୍କୁ ବି କୋଳେଇ ନେଇପାରେ, ଯେକୌଣସି ମୂହୁର୍ତ୍ତରେ ବି ଟାଣି ନେଇପାରେ ଅଫେରାବାଟକୁ। ଯାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ । କିଏ କିଛି ବୁଝିବା ଆଗରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଦେଖୁ ଦେଖୁ ତିନି ତିନିଟି ଜୀବନ ଚାଲିଗଲା ଦାଣ୍ଡ ଦୁଆରେ।

 ହୁଏତ କେଇ ଘଣ୍ଟା ପୂର୍ବରୁ ସବୁଦିନ ଭଳି ସଭିଏଁ ଚଳଚଞ୍ଚଳ ଥିଲେ ଘରର କାମଧନ୍ଧାରେ। କିନ୍ତୁ ଗୋଟିଏ ମୁହୁର୍ତ୍ତରେ ବଦଳିଗଲା ସବୁକିଛି। ଚାଲିଗଲା ଜୀବନ, ଆଖି ବୁଜିଦେଲେ ସବୁଦିନ ପାଇଁ । ଏମାନେ ହେଉଛନ୍ତି ଦୁଇ ବୋହୂ ଏବଂ ଶାଶୂ । କଟକ ଜିଲ୍ଲା ସାଲେପୁର ବେତେଇ ଗାଁର ମଝିଆ ବୋହୂ ନନ୍ଦିତା ମଲ୍ଲିକ, ସାନବୋହୂ ପୁଷ୍ପଲତା ଏବଂ ଶାଶୂ ସୀତା ମଲ୍ଲିକ।

ଦୁର୍ଭାଗ୍ୟଜନକ ଭାବେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମରଣ ମୁହଁକୁ ଠେଲି ଯାଇଛନ୍ତି ଗୋଟିଏ ପରିବାରର ୩ ସଦସ୍ୟା।

ସମୟ ସକାଳ ପ୍ରାୟ ୧୧ଟା । ଘରଦାଣ୍ଡକୁ ଲାଗି ଟଣାଯାଇଥିବା ଏକ ଅବ୍ୟବହୃତ ତାରରେ ଲୁଗା ଶୁଖାଇବାକୁ ଯାଇଥିଲେ ମଝିଆ ବୋହୂ ନନ୍ଦିତା। କିନ୍ତୁ ଦୁର୍ଯୋଗକୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିଲେ। ଏହା ଦେଖି ମଝିଆ ବୋହୂଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲେ ଶାଶୂ ସୀତା। ସେ ବି ପଡ଼ିଗଲେ ମୃତ୍ୟୁର ଫାନ୍ଦରେ । ଶେଷରେ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ସାନ ବୋହୂ ପୁଷ୍ପଲତା ବି ଘଟଣାସ୍ଥଳରେ ପ୍ରାଣ ହରାଇଲେ।

ମିଳିଥିବା ସୂଚନା ଅନୁଯାୟୀ, ଲୁଗା ଶୁଖାଇବାକୁ ଟଣାଯାଇଥିବା ତାର ସହ ସଂଯୋଗ ହୋଇଯାଇଥିଲା ବିଦ୍ୟୁତ୍‌ ସରବରାହ ହେଉଥିବା ଅନ୍ୟ ଏକ ତାର। ଏହି ସମୟରେ ବର୍ଷା ବି ହେଉଥିଲା । ଆଉ ସେହି ମୂହୁର୍ତ୍ତରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ହୋଇଥିଲା ଘଟଣାସ୍ଥଳରେ।

ସେପଟେ ପୁଲିସ ୩ ମୃତଦେହର ବ୍ୟବଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

କେବଳ ସାଲେପୁର ନୁହଁ, ଜଗତସିଂପୁର ଜିଲ୍ଲା ଜୟପୁର ଗାଁରେ ମଧ୍ୟ ଜଣେ ମହିଳାଙ୍କ ଜୀବନ ନେଇଛି ବିଜୁଳି। ଫୁଲତୋଳିବାକୁ ଯାଇଥିବାବେଳେ ବର୍ଷାରେ ବିଦ୍ୟୁତ୍‌ ଚାର୍ଜ ହୋଇଥିବା ଏକ ଖୁଣ୍ଟର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି ଭାନୁପ୍ରଭା ପ୍ରଧାନ ନାମକ ଜଣେ ମହିଳା।

You might also like