ବିଦ୍ୟୁତ୍‌ ସଂସ୍ପର୍ଶରେ ଚାଷୀ ମୃତ୍ୟୁକୁ ନେଇ ଉତ୍ତେଜନା

କ୍ଷତିପୂରଣ ଦାବିରେ ନୟାଗଡ଼-ଖଣ୍ଡପଡ଼ା ରାସ୍ତା ଅବରୋଧ

ନୟାଗଡ଼: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଚାଷୀଙ୍କ ମୃତ୍ୟୁ ନେଇ ଉତ୍ତେଜନା। ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି। ଏଭଳି ଘଟଣା ଘଟିଛି ନୟାଗଡ଼ ଖଣ୍ଡପଡା ବ୍ଳକ ଶିଖରପୁର ଗାଁରେ।

ମିଳିଥିବା ସୂଚନା ଅନୁସାରେ, ସକାଳେ ଗାଁର ପାଣୁ ଭଟ୍ଟ ନାମକ ଜଣେ ଚାଷୀ ଜମିକୁ ଯାଉଥିବାବେଳେ ଅଳ୍ପ ଉଚ୍ଚତାରେ ଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଏହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣ ଚାଲିଯାଇଥିଲା। ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ନୟାଗଡ଼- ଖଣ୍ଡପଡ଼ା ରାସ୍ତା ଅବରୋଧ କରିଛନ୍ତି।

ଦୀର୍ଘ ଦିନ ଧରି ଇଲେକ୍ଟ୍ରିକ୍‌ ପୋଲ ନଇଁ ରହିଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ ଆଣିଛନ୍ତି। ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଜାରି ରହିଛି।

You might also like