ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର

ଭୁବନେଶ୍ୱର : ମିଶନ ସିଂହାସନ। ଫୋକସରେ ଷ୍ଟାର ପ୍ରଚାରକ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିନ। ହାତରେ ମାତ୍ର ଆଉ ଅଳ୍ପ ସମୟ ଥିବାରୁ ଭୋଟରକୁ ମନାଇବା ପାଇଁ ସବୁ ଦଳ ତରଫରୁ ଜାରି ରହିଛି ଜୋରଦାର ପ୍ରୟାସ।

ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନା। କୋଟପାଡରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସେ ଯୋଗ ଦେବା ସହ, ଉଭୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ।

ଏହାପରେ ଗଂଜାମର ଛତ୍ରପୁର ଓ ଖଲିକୋଟର ବିକ୍ରମପୁର ପଂଚାୟତରେ ଆୟୋଜିତ ସମାବେଶରେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢିବାକୁ ନିବେଦନ କରିଥିଲେ। ସେପଟେ ମାଲକାନଗିରିରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ସାଂସଦ ରୂପା ଗାଙ୍ଗୁଲି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଓ କଳାହାଣ୍ଡିରେ ମାରାଥନ ପ୍ରଚାର କରିଛନ୍ତି। ନୂଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଛାତ୍ରୀ, ମହିଳା ଓ ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ସବୁ ଝିଅ ମାଗଣାରେ ପାଠ ପଢିବେ। 0% ସୁଧରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ। ଏଥିସହିତ ଧାନ ସଂଗ୍ରହ, ଆଶ୍ରମ ସ୍କୁଲ ପରିଚାଳନା ମିଶନ ଶକ୍ତି ଗ୍ରୁପକୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେପଟେ ଜୟପୁର ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି ସହରର ଗଳିକନ୍ଦିରେ ନିଆରା ପ୍ରଚାର କରିବାର ଦେଖିବାକୁ ମିଳିଛି। ସହରର ବିଭିନ୍ନ ଓ୍ୱାର୍ଡରେ ଥିବା ବିଜେଡି ଓ ବିଜେପିର କାର୍ଯ୍ୟାଳୟକୁ ଯାଇ ସେମାନଙ୍କ  ଭୋଟ ଭିକ୍ଷା କରିଛନ୍ତି, ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ଗୋପାଳପୁର ବିଧାନସଭା ଆସନ ପାଇଁ ଘରକୁ ଘର ବୁଲି ପ୍ରଚାର କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଧର୍ମରାଜ ରେଡ୍ଡୀ।

ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ୪ଟି ଲୋକସଭା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସହ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ଏହି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ।

You might also like