୧୯ ମହା ଲଢ଼େଇରେ ଓଡ଼ିଶାରେ ପ୍ରାର୍ଥୀ ଦେବ ଟିଡିପି

୫ ଲୋକସଭା ଓ ୫୨ ବିଧାନସଭା ଅାସନ ଉପରେ ଅାଖି

ଭୁବନେଶ୍ୱର : ତେଲୁଗୁ ଦେଶମ୍ ପାର୍ଟି ଫୋକସ୍‌ରେ ଓଡ଼ିଶା। ଅାନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ଟିଡିପି ଅାଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ ଦେବ ପ୍ରାର୍ଥୀ। ୫ଟି ଲୋକସଭା ଓ ୫୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ ପ୍ରତିଦ୍ୱନ୍ଦ୍ୱୀତା କରିବ ବୋଲି କୋରାପୁଟରେ ଏକ ସାମ୍ବାଦିକ ସମ୍ମଳନୀରେ ଘୋଷଣା କରିଛନ୍ତି  ଟିଡିପି ନେତା ରାଜେଶ ପୁତ୍ରା।

ଅାଉ ଦଳର ଫୋକସ୍‌ରେ ରହିଛି ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲା। ଅାନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭାବମୂର୍ତ୍ତି,  ଅାନ୍ଧ୍ରପ୍ରଦେଶ ବିକାଶ ମଡେଲ୍ ଓ ବିଜେଡି ସରକାରର ବିଫଳତାକୁ ପ୍ରସଙ୍ଗ କରି ନିର୍ବାଚନ ମୈଦାନକୁ ଓହ୍ଲାଇବ ଦଳ।

ମୁଖ୍ୟ ଫୋକସ୍ ରହିବ ତେଲୁଗୁ ଭାଷାଭାଷୀଙ୍କ ଭୋଟ୍। କିନ୍ତୁ ଏସବୁ ସତ୍ତ୍ୱେ ଟିଡିପି ପାଇଁ ଅଡୁଅା ସୃଷ୍ଟି କରିପାରେ ପୋଲାଭରମ ବିବାଦ, ବଂଶଧାରା ମାମଲା ଏବଂ କୋଟିଅା ଓ ଅାରା ଅଂଚଳକୁ ନେଇ ଦେଖାଦେଇଥିବା ଓଡ଼ିଶା-ଅାନ୍ଧ୍ର ସୀମା ବିବାଦ ପ୍ରସଙ୍ଗ।

ସେପଟେ ଟିଡିପି, ଏନ୍‌ଡିଏରୁ ଓହରିବା ପରେ ଏବେ କଂଗ୍ରେସ ସହ ବୁଝାମଣା କରି ରାଜନୈତିକ ଗୋଟିଚାଳନା କରୁଛି ତେଲେଙ୍ଗାନା ବିଧାନସଭା। ନିର୍ବାଚନରେ ଟିଡିପି ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିଛନ୍ତି। ଏ ସ୍ଥିତିରେ ଓଡିଶାରେ କଂଗ୍ରେସ ସହ ଟିଡିପି ମେଣ୍ଟ କରିବ କି?

କଂଗ୍ରେସ କହିଛି ଅାସନ ବୁଝାମଣା ନେଇ ଦଳର ସଭାପତି ରାହୁଲ ଗାନ୍ଧି ହିଁ ନିଷ୍ପତ୍ତି ନେବେ। ଅାଉ ବିଜେଡିର ଭୋଟ୍ ଟିଡିପି ଭାଙ୍ଗିବ ବୋଲି ବିରୋଧୀ ଦଳ ମୁଖ୍ୟସେଚକ ତାରା ବାହିନୀପତି କହିଛନ୍ତି। ସେପଟେ ବିଜେଡି ଓ ବିଜେପି କହିଛନ୍ତି, ଟିଡିପିର କୌଣସି ପ୍ରଭାବ ଓଡିଶାରେ ପଡ଼ିବ ନାହିଁ।

ଦକ୍ଷିଣ ଓଡିଶାରେ ତେଲୁଗୁ ଦେଶମ ପାର୍ଟି, ଉତ୍ତର ଓଡ଼ିଶା ଅର୍ଥାତ ପଶ୍ଚିମବଙ୍ଗ-ଓଡିଶା ସୀମାନ୍ତ ଅଂଚଳରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ୍ ଓ ମୟୂରଂଭଜ, ସୁନ୍ଦ୍ରରଗଡ଼ରେ ଶିବୁ ଶୋରେନ୍‌ଙ୍କ ଜେଏମ୍ଏମ୍ ନିର୍ବାଚନ ଲଢିବା ନେଇ ବି ରଣନୀତି ପ୍ରସ୍ତୁତ କରୁଛନ୍ତି। ଯାହାକି ଅାଗାମୀ ନିର୍ବାଚନର ରାଜନୈତିକ ସମୀକରଣକୁ ପ୍ରଭାବିତ କରିପାରେ।

You might also like