ଆଦିବାସୀ ଭୋଟ୍ ବ୍ୟାଙ୍କ ଉପରେ ନବୀନଙ୍କ ଆଖି

ଫୋକସ୍‌ରେ ୩୩ଟି ସଂରକ୍ଷିତ ବିଧାନସଭା ଆସନ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଫୋକସରେ ଜନଜାତି ଭୋଟ୍। ଟାର୍ଗେଟ୍‌ରେ ୩୩ ବିଧାନସଭା ସିଟ୍। ମହିଳା, ଚାଷୀ ଓ ଯୁବକ ପରେ ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ। ଖାସ୍ ସେଥିପାଇଁ ୯ଟି ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ଓ ଅନ୍ୟମାନଙ୍କ ସହ ଆଲୋଚନ କରିଥିଲେ ନବୀନ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ଟି ଜିଲ୍ଲାର ୩ ହଜାର ପବିତ୍ର ପୂଜାସ୍ଥଳୀ, ୪ଶହ ଜନଜାତି ସଂସ୍କୃତି କ୍ଲବ୍‌ ଓ ସାପ୍ତାହିକ ହାଟ ଉଦ୍‌ଘାଟନ କରିଥିଲେ। ଏଥିସହିତ ୨୫ ହଜାର ଜନଜାତି କଳାକାରଙ୍କୁ ଆର୍ଟିସାନ୍ କାର୍ଡ ଦିଆଯାଇଛି।

ଏହି ଅବସରରେ ଇମୋସୋନାଲ୍ କାର୍ଡ ବି ଖେଳିଛନ୍ତି ନବୀନ। ନିର୍ବାଚନରେ ଆଦିବାସୀ ଭୋଟ୍ ନିର୍ଣ୍ଣାୟକ ଭୂମିକା ନେବାର ସମ୍ଭାବନା ଥିବାରୁ ବିଜେଡି ସରକାର ଏହାକୁ ବେଶ୍ ଗୁରୁତ୍ୱ ଦେଉଛି।

ସେପଟେ ନବୀନଙ୍କ ଏହି କାର୍ଯ୍ୟକ୍ରମକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି। ଭୋଟ ହାତେଇବା ପାଇଁ ୧୯ ବର୍ଷ ପରେ ଆଦିବାସୀଙ୍କ କଥା ମନେପଡିଲା ବୋଲି କଂଗ୍ରେସ କହିଥିବାବେଳେ ବିଜେପି କହିଛି ନିର୍ବାଚନ ଥିବାରୁ ଏଭଳି କାର୍ଯ୍ୟକ୍ରମ। ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ବେଆଇନ ବୋଲି ଅଭିଯୋଗ କରି ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି।

କୃଷକ, ମହିଳା, ଯୁବକ ପରେ ଆଦିବାସୀ। ୧୯ ନିର୍ବାଚନ ପାଇଁ କେଉଁ ମଉକା ବି ଛାଡୁବାକୁ ଚାହୁଁନି ବିଜେଡି। ତେବେ ନିର୍ବାଚନ ଘୋଷଣା ପୂର୍ବରୁ ଜୋର୍‌ସୋରରେ ସରିଥିବା ଉଦ୍‌ଘାଟନ, ଶିଳାନ୍ୟାସ ପର୍ବ ଲୋକଙ୍କୁ କେତେ ପ୍ରଭାବିତ କରିପାରୁଛି, ତାକୁ ଅପେକ୍ଷା।

 

You might also like