ରାହୁଲଙ୍କ ଆଟାକ୍ ପରେ ଶାହଙ୍କ କାଉଣ୍ଟରକୁ କର୍ମୀଙ୍କ ଅପେକ୍ଷା

ଭୁବନେଶ୍ୱର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସଂପର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଲଗାତର ୩ଟି ସଭାରେ ନବୀନଙ୍କ ପ୍ରତି ମୋଦିଙ୍କ ଅପେକ୍ଷାକୃତ ନରମ ମନୋଭାବ ଉଭୟଙ୍କ ମଧ୍ୟରେ ଭିତିରି ସଂପର୍କ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଥିଲା।

ଯଦିଓ ରାଜ୍ୟ ବିଜେପି ନେତାଏ ଏହି ଚର୍ଚ୍ଚାକୁ ଖଣ୍ଡନ କରୁଛନ୍ତି। ତଥାପି ଶାହଙ୍କ ମୁହଁରୁ ଏହାର ଜବରଦସ୍ତ ଜବାବ ଆଶାରେ ଅଛନ୍ତି କର୍ମୀ ଓ ନେତା। ପୂର୍ବରୁ ନବୀନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ଶାହଙ୍କ ଏଥର ଆଭିମୁଖ୍ୟ କିପରି ରହିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ରାହୁଲଙ୍କ ଆକ୍ଷେପର କିଭଳି ଢଙ୍ଗରେ କାଉଣ୍ଟର କରିବେ ଶାହ? କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ବେଳେ ନବୀନଙ୍କୁ କେଉଁ ଅସ୍ତ୍ରରେ ଆକ୍ରମଣ କରିବେ ବିଜେପି କମାଣ୍ଡର?

୬ ଦିନ ଭିତରେ ଦୁଇଥର ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଆସନ୍ତାକାଲି ସାଲେପୁରର କୁଳିଆ ପଡ଼ିଆରେ ସେ ବୁଥ୍ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ। ଜୁଲାଇରେ ଦେଇଥିବା ଟାସ୍କର ହିସାବ ନେବେ, ନିର୍ବାଚନ ପାଇଁ ଆଉ କିଛି ଟାସ୍କ ବି ଦେବେ। ପ୍ରତି ବୁଥ୍‌ରେ ବିଜେପିର କର୍ମୀ ନିଜ ଉପସ୍ଥିତ ଜାହିର କରିବାକୁ ଶାହ ପୂର୍ବରୁ ଦେଇଥିଲେ ହେଭି ଟାସ୍କ। ପ୍ରସଙ୍ଗକୁ ନେଇ ପ୍ରତି ପଞ୍ଚାୟତରେ ଆନ୍ଦୋଳନ କରିବାକୁ ଶାହ ଦେଇଥିଲେ ପରାମର୍ଶ।

ସେପଟେ ଶାହ ଦେଇଥିବା ଟାସ୍କର ୯୯ ପ୍ରତିଶତ ପୂରଣ ହୋଇଥିବା ବେଳେ ତାଙ୍କ ରଣନୀତି ଅନୁସାରେ ଦଳର ବିଧାୟକ ଓ ପୂର୍ବତନ ବିଧାୟକ ବିଜେପି ଆସିବାକୁ ଦରଖାସ୍ତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ତେବେ ଶାହଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଯୁକ୍ତି ବାଢିଛନ୍ତି ବିଜେଡି ଓ  କଂଗ୍ରେସ।

ଆସନ୍ତା କାଲିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ପରେ ପୁଣି ୩ ତାରିଖରେ ବିଜେପିର ରାଷ୍ଟ୍ରୀୟ ଆଦିବାସୀ ମହାଅଧିବେଶନରେ ଆଦିବାସୀ ଅଧିକାର ପାଇଁ ପୁରୀରେ ହେବାକୁଥିବା ରାଲିରେ ଯୋଗଦେବେ ଅମିତ ଶାହ।

You might also like