ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଜୋର ଧରିଥିବା ବେଳେ ତେଜିଲା ଅାରୋପ ପ୍ରତ୍ୟାରୋପ

ଭୁବନେଶ୍ୱର : ୧୯ ଭୋଟ୍ ପାଇଁ କସରତ। ସିଇଓଙ୍କ ଅଫିସ୍‌ରେ ଚାଲିଛି ସର୍ବଦଳୀୟ ବୈଠକ। ଫୋକସ୍‌ରେ ଚିଠା ଭୋଟର୍ ତାଲିକା ସଂଶୋଧନ ପ୍ରକ୍ରିୟା। ଅାସନ୍ତା ସେପ୍ଟେମ୍ବର ପହିଲାରୁ ଏହି ପ୍ରକ୍ରିୟା ଅାରମ୍ଭ ହେଉଥିବାବେଳେ ତା ପୂର୍ବରୁ ବିରୋଧୀ ଅାଣିଛନ୍ତି ସାଙ୍ଘାତିକ ଅଭିଯୋଗ।

ନୂଅା ବୁଥ୍ ଗଠନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଅାଣି ବିଜେଡିକୁ ସୁହାଇଲା ଭଳି ବୁଥ୍ ଗଠନ କରାଯାଇଥିବା କହିଛି ବିଜେପି। ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ଯାଜପୁର ଅାଦି ଜିଲ୍ଲାରେ ଏଭଳି ଅନିୟମିତା ହୋଇଥିବା ସିଇଓଙ୍କୁ ଅବଗତ କରିଛି ଦଳ। କଂଗ୍ରେସ ମଧ୍ୟ ଭୋଟର ତାଲିକାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି। କେବଳ ନୂଅା ବୁଥ୍ ନୁହେଁ, ପୁରୁଣା ବୁଥ୍‌ରେ ମଧ୍ୟ ହେରଫେର୍ କରାଯାଇଥିବା ଅଭିଯୋଗ କରିଛି ଦଳ। ବିଜେଡି କିନ୍ତୁ ଏସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି।

୨୦୧୪ରେ ରାଜ୍ୟରେ ୩୫ ହଜାର ୮୯୬ଟି ବୁଥ୍ ଥିଲା। ସେଥିମଧ୍ୟରୁ ୨୯୪ଟି ବୁଥ୍ ଉଚ୍ଛେଦ ହୋଇଥିବା ବେଳେ ୨ ହଜାର ୪ଟି ନୂଅା ବୁଥ୍ ଗଠନ କରାଯାଇଛି। ଏପଟେ ଭୋଟର୍ ତାଲିକା ସଂଶୋଧନ ପ୍ରକ୍ରିୟା  ଅାସନ୍ତା ୧ ତାରିଖରୁ ଅାରମ୍ଭ ହୋଇ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ। ଜାନୁୟାରୀ ୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।

୧.୧.୨୦୧୯ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ ହେଉଥିବ, ସେମାନେ ବି ଭୋଟର୍ ଲିଷ୍ଟରେ ନିଜ ନାଁ ପଞ୍ଜୀକରଣ କରିପାରିବେ। ରାଜନୈତିକ ଦଳମାନେ ବୁଥ୍ ଲେଭେଲ ଏଜେଣ୍ଟ ନିଯୁକ୍ତି କରିବାକୁ ସିଇଓଙ୍କ ପକ୍ଷରୁ କୁହାଯାଇଛି।

ନିର୍ବାଚନ ପାଇଁ ଅାବଶ୍ୟକ ଥିବା ୩୭ ହଜାର ୬୦୬ ଇଭିଏମ୍ ପହଞ୍ଚି ସାରିଛି। ଭିଭିପ୍ୟାଟ୍ ବି ଶୀଘ୍ର ପହଞ୍ଚିଯିବ। ଇଭିଏମ୍ ଓ ଭିଭିପ୍ୟାଟର ଫାଷ୍ଟ ଲେଭେଲ୍ ଚେକିଂ ପାଇଁ ସିଇଓ ଅାସନ୍ତାକାଲି ସବୁ ଜିଲ୍ଲାପାଳମାନଙ୍କୁ ଟ୍ରେନିଙ୍ଗ ପାଇଁ ଡାକିଛନ୍ତି।

You might also like