ରାତି ପାହିଲେ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଆସନ୍ତାକାଲି ହେବ ୬ଷ୍ଠ ପର୍ଯ୍ୟାୟ ଭୋଟ୍‌ଗ୍ରହଣ । ୭ ରାଜ୍ୟର ୫୯ ଆସନରେ ୯୭୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ। ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ୟାଦବ, ଶିଲା ଦୀକ୍ଷିତ ଓ ଦିଗ୍‌ବିଜୟ ସିଂହଙ୍କ ସମେତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମାନେକା ଗାନ୍ଧି ଓ କ୍ରିକେଟ୍‌ରରୁ ରାଜନେତା ହୋଇଥିବା ଗୌତମ ଗାମ୍ଭୀରଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍।

୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ଆସନ୍ତାକାଲି ଭୋଟ ଦେବେ। ଉତ୍ତର ପ୍ରଦେଶର ୧୪ ଆସନ, ହରିୟାଣାର ୧୦, ପଶ୍ଚିମବଂଗ, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ସିଟ୍, ଦିଲ୍ଲୀର ସମସ୍ତ ୭ ସିଟ୍ ଏବଂ ଝାଡ଼ଖଣ୍ଡର ୪ ଲୋକସଭା ଆସନରେ ଭୋଟଗ୍ରହଣ ହେବ । ଏହାସହ ପଶ୍ଚିମ ତ୍ରିପୁରା ଅସନର ୧୬୮ଟି ବୁଥ୍‌ରେ  ଆସନ୍ତାକାଲି ପୁନଃ ମତଦାନ ହେବ । ଏଠାରେ ଏପ୍ରିଲ୍ ୧୧ରେ ଭୋଟ୍ ଗ୍ରହଣ ହୋଇଥିଲେ ବି ଏହାକୁ ରଦ୍ଦ କରାଯାଇଥିଲା।

ରବିବାର ଇଭିଏମ୍‌ ସିଲ୍ ହେବ ଅନେକ ପ୍ରମୁଖ ନେତାଙ୍କ ଭାଗ୍ୟ । ମଧ୍ୟପ୍ରଦେଶ ମୋରେନାରେ ବିଜେପି ପ୍ରାର୍ଥୀ ନରେନ୍ଦ୍ର ସିଂ ତୋମରଙ୍କ ବିରୋଧରେ ଲଢୁଛନ୍ତି କଂଗ୍ରେସ୍‌ର ରାମ ନିବାସ ରାଓ୍ୱତ । ସେହିପରି ମଧ୍ୟପ୍ରଦେଶର ଗୁନା ଅସନରୁ ଲଢୁଛନ୍ତି କଂଗ୍ରେସ୍‌ର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ। ବିଜେପିର କେ. ପି. ଯାଦବଙ୍କ ସହ ଜୋତିରାଦିତ୍ୟଙ୍କ ହେବ ଟକ୍କର । କେ. ପି. ଯାଦବ ପୂର୍ବରୁ ଜ୍ୟୋତିରାଦିତ୍ୟଙ୍କ ସହଯୋଗୀ ଥିବାବେଳେ ୨୦୧୮ରେ ଅନୁଷ୍ଠିତ ଉପନିର୍ବାଚନରେ ଟିକେଟ୍ ନ ମିଳିବାରୁ ସେ ବିଜେପିରେ ଯୋଗ ଦେଇଥିଲେ ।

 

ସେହିପରି ମଧ୍ୟପ୍ରଦେଶର ଭୋପାଳ ଆସନରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ସହ ବିଜେପିର ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ହେବ ଟକ୍କର । ୟୁପିର ସୁଲତାନପୁରରେ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ସହ କଂଗ୍ରେସର ସଂଜୟ ସିଂହଙ୍କ ମଧ୍ୟରେ ହେଉଛି ଜୋରଦାର୍ ଲଢ଼େଇ। ପୂର୍ବରୁ ଏହି ଆସନରେ ମାନେକାଙ୍କ ପୁଅ ବରୁଣ ଗାନ୍ଧି ବିଜୟୀ ହୋଇଥିଲେ । ଏଥର ବରୁଣଙ୍କୁ ପିଲିଭିଟ୍‌ରୁ ପ୍ରାର୍ଥୀ କରିଛି ବିଜେପି। ସେହିପରି ଆଜମଗଡ଼ରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ବିଜେପି ନେତା ଦିନେଶ ଲାଲ ଯାଦବଙ୍କ ଲଢେଇ ହେଉଛି । ସେପଟେ ଦିଲ୍ଲୀର ୭ଟି ସିଟ୍‌ରେ ବି ଆସନ୍ତାକାଲି ଭୋଟ୍ ପଡ଼ିବ। ଉତ୍ତର-ପୂର୍ବ ଦିଲ୍ଲୀରୁ ବିଜେପିର ଦିଲ୍ଲୀ ମୁଖ୍ୟ ମନୋଜ ତିଓ୍ୱାରୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ। ସେହିପରି ଚାନ୍ଦିନୀ ଚୌକ୍‌ରେ ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ କଂଗ୍ରେସ ଜୟପ୍ରକାଶ ଅଗ୍ରଓ୍ୱାଲଙ୍କ ହେବ ଟକ୍କର । ପୂର୍ବ ଦିଲ୍ଲୀରୁ ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗାମ୍ଭୀର ତାଙ୍କ ବିରୋଧରେ ଆମ ଆଦମୀ ପାର୍ଟି ନେତ୍ରୀ ଅତିଶୀ ଏବଂ କଂଗ୍ରେସରୁ ଅରବିନ୍ଦର ସିଂହ ଲଭ୍ଲୀ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପକ୍ଷରେ ଦକ୍ଷିଣ ଦିଲ୍ଲୀରୁ କଂଗ୍ରେସ୍ ଟିକଟ୍‌ରେ ଭାଗ୍ୟ ପରୀକ୍ଷା କରୁଛନ୍ତି ବକ୍ସର ବିଜେନ୍ଦ୍ର ସିଂହ ।

You might also like