ସୋଶାଲ ମିଡିଅାକୁ ନିର୍ବାଚନ କମିଶନଙ୍କ ସତର୍କ ଦୃଷ୍ଟି

 ଫେସବୁକ୍, ଟ୍ୱିଟର ଭଳି କଂପାନୀଙ୍କ ସହ ଅାଲୋଚନା,

ଭୁବନେଶ୍ୱର : ବଦଳୁଛି ନିର୍ବାଚନ ପ୍ରଚାରର ଟ୍ରେଣ୍ଡ। ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପହଞ୍ଚିବା ପାଇଁ ସୋଶାଲ ମିଡିଅାକୁ ଅସ୍ତ୍ର କରୁଛନ୍ତି ରାଜନୈତିକ ଦଳ ଓ ନେତା। କାନ୍ଥବାଡ଼ରେ ଯେତିକି ପୋଷ୍ଟର ଓ ସ୍ଲୋଗାନ ଦେଖିବାକୁ ମିଳୁଛି ତାଠାରୁ ଢେର ଅଧିକ ଛାଇ ଯାଉଛି ସୋଶାଲ ମିଡିଅାରେ।

ତେବେ ଅନେକ କ୍ଷେତ୍ରରେ ସୋଶାଲ ମିଡିଅାର ଅପବ୍ୟବହାର ହେଉଥିବା ନଜରକୁ ଅାସୁଛି। ଏହାକୁ ନେଇ ସତର୍କ ହୋଇଛନ୍ତି ନିର୍ବାଚନ କମିଶନ। ମିଛ ଖବର, ଅାପତ୍ତିଜନକ ଓ ସମ୍ମାନହାନୀ ଭଳି ତଥ୍ୟକୁ ରୋକିବା ଲାଗି କମିଶନ ଗୁଗୁଲ, ଫେସବୁକ୍ ଓ ଟୁଇଟର ଭଳି କଂପାନୀ ସହ ଅାଲୋଚନା କରିଛନ୍ତି।

ଏଭଳି ତଥ୍ୟ ପୋଷ୍ଟ କରାଗଲେ ତାକୁ ତର୍ଜମା କରି ଅାବଶ୍ୟକ ସ୍ଥଳେ ଏସବୁ କଂପାନୀ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଅାଣିବେ ବୋଲି ନିଜ ତରଫରୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ମତଦାନର ୨ ଦିନ ଅାଗରୁ ସୋଶାଲ ମିଡିଅାରେ କୌଣସି ରାଜନୈତିକ ବିଜ୍ଞାପନ ମଧ୍ୟ ଦିଅାଯାଇପାରିବ ନାହିଁ।

ସୋଶାଲ ମିଡିଅାରେ ନିର୍ବାଚନ ବେଳେ ନକରାତ୍ମକ ଓ ଅନ୍ୟର କୁତ୍ସାରଟନା ଲାଗି କରାଯାଉଥିବା ପ୍ରଚାରକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି। ସେ ଦୃଷ୍ଟିରୁ ସୋଶାଲ ମିଡିଅା କମ୍ପାନୀଙ୍କ ନିଷ୍ପତ୍ତି ପ୍ରଚାର ପ୍ରକ୍ରିୟାରେ ସୁସ୍ଥ ପରମ୍ପରା ସୃଷ୍ଟି କରିବ ବୋଲି ଅାଶା କରାଯାଉଛି। ତେବେ ଏହାର କାର୍ଯ୍ୟକାରିତା ଓ ବୈଷୟିକ ଦିଗକୁ ନେଇ  ପ୍ରଶ୍ନ ଉଠାଇଛନ୍ତି ଅାଇଟି ବିଶେଷଜ୍ଞ।

ନିର୍ବାଚନ କମିଶନଙ୍କ ପଦକ୍ଷେପ ଓ ସୋଶାଲ ମିଡିଅା କଂପାନୀଙ୍କ ପ୍ରତିଶ୍ରୁତି ଅାଗାମୀ ଦିନରେ କେତେଦୂର କାର୍ଯ୍ୟକାରୀ ହୋଇ ପ୍ରଚାର ପ୍ରକ୍ରିୟାରେ ଶୃଙ୍ଖଳା ଅାଣୁଛି, ଏବେ ତା ଉପରେ ନଜର।

You might also like