କଇଁସରା ଗାଁରେ ହାତୀ ଉପଦ୍ରବ: ଘରଦ୍ୱାର ଭାଙ୍ଗିବା ସହିତ ବୃଦ୍ଧା ମୃତ

ସୁନ୍ଦରଗଡ଼: କଇଁସରା ଗାଁରେ ହାତୀ ଉପଦ୍ରବ। ରାତିରେ ହାତୀମାନେ ଗାଁ ଭିତରକୁ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଛନ୍ତି। ଏହି ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ମଧ୍ୟ ହୋଇଛି।

ଗାଁର ଅବସ୍ଥା ଏମିତି ହୋଇଛି ଯେ ଚାରିଆଡ଼େ ଘର କାନ୍ଥ ଭାଙ୍ଗି ପଡ଼ିଛି। ଘର ଛାତ ଭୁଷୁଡ଼ି ଆଁ କରିଛି। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ମୁହାଁ ହେଉଛନ୍ତି ହାତୀ। ଆଉ ଅକାରଣେ ଧନଜୀବନ ନଷ୍ଟ ହେଉଛି। ହାତୀ ଦୁଇଟି କିଛି ସମୟ ଉତ୍‌ପାତ କରିବ ପରେ ବନ ବିଭାଗ ଆସି ଦୁଇ ହାତୀଙ୍କୁ ନିକଟ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ।

ଗତ କିଛି ଦିନ ହେବ ବାମଡ଼ା ଫରେଷ୍ଟ ଡିଭିଜନର ବଡ଼ରମା ରିଜର୍ଭ ଫରେଷ୍ଟରୁ ହାତୀ ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

ଗତ ୭ରୁ ୮ ବର୍ଷ ହେବ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଚଳାଇଛି। ସେହି ସମୟରେ ବନ ବିଭାଗ ତତ୍ପର ହୋଇ ହାତୀ ଘଉଡ଼ାଇ ଦେବାପରେ ସ୍ଥାୟୀ ସମାଧାନ ନେଇ କୌଣସି ପଦକ୍ଷେପ ନେଉ ନାହିଁ। ସେହି ଅଞ୍ଚଳରେ ଟ୍ରେଞ୍ଚ ଖୋଲିବା କିମ୍ବା ସୋଲାର ଫେନସିଂ କରାଯିବା ପାଇଁ ଦାବି କରୁଛନ୍ତି ଅଞ୍ଚଳବାସୀ। ଅନ୍ୟପଟେ, ହାତୀ ଘଉଡ଼ାଇବା ସହ କ୍ଷୟକ୍ଷତି ଆକଳନ କରି ଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ଫରେଷ୍ଟ ରେଞ୍ଜ ଅଧିକାରୀ।

You might also like