କରୋନା ଉଜାଡି ଦେଲା ପରିବାର; ସାନପୁଅ ପରେ ଆଖି ବୁଜିଲେ ରଘୁନାଥ ମହାପାତ୍ରଙ୍କ ବଡପୁଅ

ଭୁବନେଶ୍ୱର: ପଥର ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଉପରେ ଯେମିତି ବିପତ୍ତି ମାଡିପଡୁଛି। ଗୋଟିଏ ପରେ ଗୋଟିଏ ହୋଇ ୧୨ ଦିନରେ ୩ ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ। ପ୍ରଥମେ  ରଘୁନାଥଙ୍କୁ ହରାଇ ପରିବାର ଲୋକେ ଶୋକରେ ଭାଙ୍ଗି ପଡ଼ିଥିବାବେଳେ ଗତକାଲି ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇ ଯାଇଥିଲା। ଆଜି ପୁଣି ତାଙ୍କର ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କ ପରଲୋକ  ହୋଇଯାଇଛି।

୫୨ ବର୍ଷ ବୟସ୍କ ଯଶୋବନ୍ତ କୋଭିଡରେ ଆକ୍ରାନ୍ତ ହୋଇ  ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିଲା। ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। 

ସୂଚନାଥାଉ କି, ୧୨ ଦିନ ତଳେ ଅର୍ଥାତ୍ ମେ’ ୯ ତାରିଖ ଅପରାହ୍ଣ ୩ଟା ୪୯ ମିନିଟ୍‌ରେ ରଘୁନାଥ ମହାପାତ୍ର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଥିଲା। ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ର କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ପରଲୋକ ହୋଇଯାଇଥିଲା ।  ଏ ନେଇ ସୂଚନା ଦେ‍ଇ  ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି କହିଥିଲେ,  ଚିକିତ୍ସା ପରେ ପ୍ରଶାନ୍ତଙ୍କର କୋଭିଡ ରିପୋର୍ଟ ନେଗେଟିଭ ହୋଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲେ ମଧ୍ୟ ସେ ଚିକିତ୍ସାଧୀନ ଥିଲେ। ମାତ୍ର ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଥିଲେ ପ୍ରଶାନ୍ତ। 

ପ୍ରଶାନ୍ତଙ୍କ ବିୟୋଗରେ ଶୋକରେ ଭାଙ୍ଗି ପଡ଼ିଥିବାବେଳେ  ଚିକିତ୍ସାଧୀନ ବଡ଼ ପୁଅ ଯଶୋବନ୍ତଙ୍କର ଆଜି ପରଲୋକ ହୋଇଯାଇଛି।

 

You might also like