ଆମ ବିକଳ ଶିକ୍ଷା ଭିତ୍ତିଭୂମି; ଯେଉଁଠି ଜୀବନ ଅସୁରକ୍ଷିତ, ସେଠି କିଏ ପଢ଼ିବ ପାଠ

ନୂଆପଡ଼ା: ଛାତ୍ରଛାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି ବିଦ୍ୟାଳୟ। କାନ୍ଥରୁ ବାରମ୍ବାର ସ୍ଲାବ୍ ଖସୁଛି। ଭବିଷ୍ୟତ ତିଆରି କଥା ଛାଡ଼ନ୍ତୁ ନିଜ ଜୀବନ ରକ୍ଷା କରିବା ପାଇଁ ଚିନ୍ତାରେ ଅଛନ୍ତି ସ୍କୁଲ୍‌ର ଛାତ୍ରଛାତ୍ରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଉରୁଆମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ।

ବିଦ୍ୟାଳୟର ୫ଟି ଶ୍ରେଣୀଗୃହ ମଧ୍ୟରୁ ତିନୋଟି ଘର ବିପଦଜନକ ସ୍ଥିତିରେ ରହିଛି। ଛାତ୍ରଛାତ୍ରୀଙ୍କ ପାଖରେ ଅନ୍ୟ ଉପାୟ ନଥିବାରୁ ପିଲାମାନେ ବାଧ୍ୟ ହୋଇ ଭଙ୍ଗା କୋଠରୀ ଘରେ ପାଠ ପଢୁଥିବା ଅଭିଯୋଗ ହୋଇଛି।

ଏନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନ ଚେତିବାରୁ ଅଭିଭାବକ ଏବଂ ପିଲା ସ୍କୁଲରେ ତାଲା ପକାଇଥିଲେ। ତେବେ ସ୍କୁଲ୍‌ ମରାମତି କାମ ଶୀଘ୍ର କରାଯିବ ବୋଲି ଏବିଇଓ କହିଛନ୍ତି।

ସେହିଭଳି ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ଖଣ୍ଡି କଣପା ପ୍ରାଥମିକ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ କିଛି ଏହିଭଳି ଅବସ୍ଥା ଭୋଗୁଛନ୍ତି। ଏଠି ନା ରହିଛି ସଫାସୁତୁରା ପରିବେଶ, ନା ଅଛି ଆବଶ୍ୟକ ଶ୍ରେଣୀଘର। ପାଇଖାନାର ଅବସ୍ଥା ନ କହିଲେ ଭଲ।

ଏଠି ସ୍କୁଲ୍‌ ବାରଣ୍ଡାରେ ଚାଲୁଛି ୮୧ ପିଲାଙ୍କ ଶିକ୍ଷାଦାନ। ତେବେ ସରକାର ୨୦୧୧ରେ ନୂଆ ଶ୍ରେଣୀଘର ପାଇଁ ଅନୁଦାନ ଦେଇଥିଲେ ବି ପ୍ରଧାନଶିକ୍ଷକ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି।

ଫଳରେ ଘର ତିଆରି କାମ ଅଧାରେ ପଡ଼ିରହିଛି। ତେବେ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ମାମଲା ଦାଏର ହୋଇଥିବା କହିଛନ୍ତି ଜିଲ୍ଲା ଶିକ୍ଷାଅଧିକାରୀ।

ଅନ୍ୟପଟେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଗୟଳଯୁବ ଗାଁରେ ପ୍ରାଥମିକ ସ୍କୁଲକୁ ବନ୍ଦ କରିବାକୁ ଶିକ୍ଷା ବିଭାଗର ନିଷ୍ପତ୍ତିକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗାଁରେ ଦୀର୍ଘ ବର୍ଷ ହେଲା ପ୍ରାଥମିକ ସ୍କୁଲ୍‌ ସ୍ଥାପିତ ହୋଇଥିବାବେଳେ ଏବେ ୨ କିଲୋମିଟର ଦୂର ଅମେଡ଼ ହାଇସ୍କୁଲ୍‌ରେ ଏହି ସ୍କୁଲକୁ ମିଶାଇବାକୁ ବିଭାଗ ଯୋଜନା କରୁଛି।

ତେବେ ଗୟଳଯୁବରୁ ଅମେଡ଼ା ରାସ୍ତା ଅତି ଶୋଚନୀୟ ହୋଇଥିବାରୁ ସ୍କୁଲ୍‌ ସ୍ଥାନାନ୍ତରକୁ ମଙ୍ଗୁ ନାହାନ୍ତି ଲୋକେ। ତେବେ ଗୟଳଯୁବ ସ୍କୁଲ୍‌ରେ ୩୨ ପିଲା ଥିବାବେଳେ କାହିଁକି ବନ୍ଦ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସ୍କୁଲ୍‌ ବନ୍ଦ କରାଯାଉଥିବା ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।

You might also like