ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଣଶିକ୍ଷା ବିଭାଗ ଟିପ୍ସ: ଦିନକୁ ୧୪ ଘଣ୍ଟା ପାଠ ପଢ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଣଶିକ୍ଷା ବିଭାଗ ଟିପ୍ସ ଦେଇଛି। କେମିତି ପ୍ରସ୍ତୁତି କରିବେ ଓ କିପରି ପରୀକ୍ଷା ଦେବେ? ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବା ପାଇଁ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ କରୋନା କାଳ ରେ ଏଭଳି ମାଟ୍ରିକ ଟିପ୍ସ ପ୍ରସ୍ତୁତ କରାଯାଇଛି। ଖୁବ୍ ଶୀଘ୍ର ଏହା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସ୍ତୁତି ପାଇଁ ଟାଇମ୍ ଟେବୁଲ ନମୁନା ବି କରାଯାଇଛି।

ଦୈନିକ ୨୪ ଘଣ୍ଟାରୁ ୧୪ ଘଣ୍ଟା ପଢିବା, ୬ଘଣ୍ଟା ଶୋଇବା ଓ ୪ଘଣ୍ଟା ଅନ୍ୟକାମ ଲାଗି ବିନିଯୋଗ କରିବାକୁ କୁହାଯାଇଛି। ନିୟମିତ ବ୍ୟାୟାମ ଓ ଯୋଗ କରିବା ସହ ସୁଷମ ଖାଦ୍ୟ ଆହରଣ ପାଇଁ ପରାମର୍ଶ ଦିଆଯାଇଛି। ପ୍ରତି ବିଷୟ ଲାଗି ଦେଢ ଘଣ୍ଟାରୁ ଦୁଇ ଘଣ୍ଟା ସମୟ ଦେଲେ ଛାତ୍ରଛାତ୍ରୀ ସୁଫଳ ପାଇପାରିବେ। ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପଢିବା ଲାଗି ବିଭାଗ କହିଛି।

ଆମେ ପାଠ ପଢିବା ସମୟରେ ଅତି କମ୍‌ରେ ୧୪ରୁ ୧୫ ଘଣ୍ଟା ପଢୁଥିଲୁ। ଜୀବନରେ ଆଗକୁ ଯିବାକୁ ହେଲେ ପରିଶ୍ରମ ହେଉଛି ମାପକାଠି। ବିଭାଗ ତରଫରୁ ଯାହା ଟିପ୍ସ ଦିଆଯାଇଛି, ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ପିଲାମାନଙ୍କୁ ଅବଗତ କରାଇବେ।  
-ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

କେବଳରେ ପାଠପଢାରେ ଛାତ୍ରଛାତ୍ରୀମାନେ ମନନିବେଶ କରିବେ। ତା ନୁହେଁ ଅବସର ସମୟରେ ଖେଳାଖେଳି, ଟିଭି ଦେଖିବା ପାଇଁ ବି ପରାମର୍ଶ ଦିଆଯାଇଛି। ସେହିପରି ପିଲାଙ୍କ ପରୀକ୍ଷା ପ୍ରସ୍ତୁତି ସମୟରେ ଅଭିଭାବକ ଓ ଶିକ୍ଷକମାନଙ୍କର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ପିଲାଙ୍କ ଉପରେ ଚାପ ନପକାଇ ସେମାନଙ୍କୁ ଉତ୍ସାହିତ କଲେ ପିଲା ଭଲ ପ୍ରଦର୍ଶନ କରିବେ ବୋଲି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ଏହି ପରାମର୍ଶକୁ ସ୍ୱାଗତ କରିଛନ୍ତି ମାତ୍ର ମନସ୍ତତ୍ତ୍ୱବିତଙ୍କ ମତରେ ଦିନକୁ ୧୪ ଘଣ୍ଟା ପଢିବା ପାଇଁ ପରାମର୍ଶ ଦେବା ଯୁକ୍ତି ଯୁକ୍ତ ନୁହେଁ। ଏହାଦ୍ୱାରା ପିଲାଙ୍କ ଉପରେ ଚାପ ଅଧିକ ପଡିପାରେ।

କରୋନା ପାଇଁ ପରୀକ୍ଷା ଓ ପାଠପଢା ଶୈଳୀ ବଦଳି ଯାଇଛି। ଆମେ ଯଦି ପରିଶ୍ରମ ନକରିବା, ତେବେ ସଫଳତା ପାଇବା କଷ୍ଟକର ହୋଇପଡ଼ିବ। 
-ସୁଶ୍ରୀ ବାଗ୍ମିିତା ମହାପାତ୍ର, ଛାତ୍ରୀ
୧୪ ଘଣ୍ଟା ପାଇଁ ପିଲାଙ୍କୁ ପାଠ ପଢିବା ଦିଆଗଲେ ସେମାନଙ୍କ ଉପରେ ଚାପ ପଡ଼ିବ।  ଅଭିଭାବକମାନେ ତାଙ୍କୁ ନିଶ୍ଚିତ ଭାବେ ଚାପ ପକାଇବେ। ପରିଶ୍ରମ କରନ୍ତୁ କିନ୍ତୁ ତାହାର ଅର୍ଥ ନୁହେଁ ୧୪ ଘଣ୍ଟା ଧରି ପାଠ ପଢନ୍ତୁ। ଏହାଦ୍ୱାରା ବୌଦ୍ଧିକ ସ୍ତରରେ ପିଲାଙ୍କ କ୍ଷତି ହୋଇପାରେ।  
-ପ୍ରଫେସର ଅଜିତ ମହାନ୍ତି, ମନସ୍ତତ୍ତ୍ୱବିତ୍

କରୋନା ପାଇଁ ଶିକ୍ଷା ବର୍ଷ ପ୍ରଭାବିତ ହୋଇିଛି ପରୀକ୍ଷାର୍ଥୀଙ୍କ ହିତ ଦୃଷ୍ଟିରୁ ଜାନୁଆରୀ ୮ରୁ ସ୍କୁଲ୍ ଖୋଲାଯିବା ସହ ପରୀକ୍ଷା ଦର୍ପଣ ବି ଦିଆଯାଇଛି। ଆଉ ଏବେ ମାଟ୍ରିକ୍ ପ୍ରସ୍ତୁତି ପାଇଁ ୧୪ ଘଣ୍ଟା ପଢିବା ଲାଗି ପରାମର୍ଶ ଦେବା ପାସ୍ ହାରକୁ କେତେ ବଢେଇବ ତାଉପରେ ନଜର।

ରିପୋର୍ଟ: ବିଜୟ ବରୁଆ, ରଶ୍ମିରଞ୍ଜନ ଦାସ ଓ ଜଗଦୀଶ ଦାସ
You might also like