ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ କଡ଼ା ନିନ୍ଦା କଲା ଏଡିଟର୍ସ ଗିଲ୍ଡ

ଭୁବନେଶ୍ୱର: ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ। OTVର ବରିଷ୍ଠ ସାମ୍ବାଦିକଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଉଦବେଗ ପ୍ରକାଶ କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ।

ଓଟିଭିକୁ ଦୁର୍ବଳ କରିବାକୁ ଏଣୁତେଣୁ ବିଭିନ୍ନ ପ୍ରକାର ମାମଲାରେ ଛନ୍ଦି ଓଟିଭି କର୍ମଚାରୀଙ୍କୁ ସାଂଘାତିକ ହଇରାଣ କରାଯାଉଛି। ନିକଟରେ ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ ସଂପର୍କିତ ଏକ ଖବର ଓଟିଭିରେ ପ୍ରସାରିତ ହେବା ପରେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେଇଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଏହାକୁ ଗଣମାଧ୍ୟମର ସ୍ୱାଧୀନତା ଉପରେ ସିଧାସଳଖ ହସ୍ତକ୍ଷେପ ବୋଲି କହିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ। ଏଭଳି ଘଟଣା ତୁରନ୍ତ ବନ୍ଦ ହେବା ଦରକାର ବୋଲି କୁହାଯାଇଛି। ସାମ୍ବାଦିକ ରମେଶ ରଥଙ୍କ ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ଅତି ନିନ୍ଦନୀୟ ବୋଲି କହିଛି ଏଡିଟର୍ସ ଗିଲ୍ଡ।

ଏଠି କହିରଖିବୁ, ୧୯୭୮ ମସିହାରେ ପ୍ରତିଷ୍ଠିତ ଏଡିଟର୍ସ ଗିଲ୍‌ଡର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମ୍ବାଦିକଙ୍କ ସ୍ୱାଧୀନତାକୁ ସୁରକ୍ଷା ଦେବା ଏବଂ ଖବରକାଗଜ, ପତ୍ରିକାର ମାନବୃଦ୍ଧି କରିବା। ତେଣୁ ଓଡ଼ିଶାରେ ବରିଷ୍ଠ ସାମ୍ବାଦିକଙ୍କ ପ୍ରତି ଏପରି ଆକ୍ରୋଶକୁ ସଂସ୍ଥା ପକ୍ଷରୁ ଦୃଢ ନିନ୍ଦା କରାଯାଇଛି।

୨୦୧୯ ମସିହାରେ କେନ୍ଦୁଝର ଥାନାରେ ଦାଏର ଏକ ଭାଇରାଲ୍ ଭିଡ଼ିଓ ମାମଲାରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଛନ୍ଦି ପୋଲିସ୍ ତାଙ୍କୁ ତାଙ୍କ ଘର ପାଖରୁ ଟାଣିଘୋଷାରି ଉଠାଇନେଲା। ସେତିକି ନୁହେଁ, ରମେଶଙ୍କୁ ଜୋର ଜବରଦସ୍ତି ପୋଲିସ ଗାଡ଼ିରେ ବସାଇବା, ଦୀର୍ଘ ସମୟ ଧରି ଏ ଥାନାରୁ ସେ ଥାନା ବୁଲାଇବା ଓ ତାଙ୍କ ଲୋକଙ୍କୁ ଅବଗତ ନକରାଇବା ପଛରେ ବି ପୋଲିସର ଆକ୍ରୋଶ ଜଳ ଜଳ ଦେଖାଯାଉଥିଲା। ମାମଲାର ତଦନ୍ତରେ ଉଭୟ ରମେଶ ରଥ ଏବଂ ଓଟିଭି ଉଭୟେ ପୂର୍ଣ୍ଣ ସହଯୋଗ କରି ଆସିଛନ୍ତି ବୋଲି କହିଥିଲେ। ତା ସତ୍ତ୍ୱେ ରାତି ପ୍ରାୟ ସାଢ଼େ ୧୦ଟା ବେଳକୁ ରମେଶଙ୍କଠାରୁ ଅଣ୍ଡରଟେକିଂ ନେଇ କେନ୍ଦୁଝର ପୋଲିସ ତାଙ୍କୁ ଛାଡ଼ିଥିଲା।

ଆସନ୍ତା ୨୧ରେ କେନ୍ଦୁଝର ସଦର ଥାନାରେ ହାଜିରା ପାଇଁ ନୋଟିସ୍ ଦେଇଥିଲା ।

 

You might also like