ରୋଷେଇ ଘରେ ମହଙ୍ଗା ମାଡ଼ : ୬ ମାସରେ ଦୁଇ ଗୁଣା ବଢିଲାଣି ଖାଇବା ତେଲ ଦର

ହୁ ହୁ ବଢୁଛି ଖାଇବା ତେଲର ଦାମ

  • ରୋଷେଇ ଘରେ ମହଙ୍ଗା ମାଡ଼
  • ୬ ମାସରେ ଦୁଇ ଗୁଣା ବଢିଲାଣି ଖାଇବା ତେଲ ଦର
  • ଚିନ୍ତାରେ ସାଧାରଣ ଖାଉଟି
  • ଆମଦାନୀ ଶୁଳ୍କ ଓ କୃଷି ସେସ୍ ହ୍ରାସ ନକଲେ କମିବନି ଦର: ବ୍ୟବସାୟୀ ସଂଘ

ଭୁବନେଶ୍ୱର: ପୁଣି ରୋଷେଇ ଘରେ ମହଙ୍ଗା ମାଡ଼। ପୂର୍ବରୁ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ଗୃହିଣୀଙ୍କ ଚିନ୍ତା ବଢ଼ାଇଥିବା ବେଳେ, ଏଥର ନିଜ ଭାଉ ବଢ଼ାଇଛି ଖାଇବା ତେଲ। ସୋରିଷ, ସୂର୍ଯ୍ୟମୁଖୀଠୁ ଆରମ୍ଭ କରି ପାମୋଲିନ୍ ଯାଏଁ, ସବୁ ପ୍ରକାର ଖାଇବା ତେଲ ଦାମ୍ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ବଢ଼ିଥିବା ଦେଖିବାକୁ ମିଳିଛି। ଦର ୬ମାସ ଭିତରେ ୨ଗୁଣ ବଢ଼ିଥିବା ରାଜ୍ୟ ବ୍ୟବସାୟୀ ସଂଘ ସାଧାରଣ ସଂପାଦକ କହିବା ସହ, ଏଭଳି ଦରବୃଦ୍ଧି ରୋକିବାକୁ ହେଲେ ସରକାର ଆମଦାନୀ ଶୁଳ୍କ ଓ କୃଷି ସେସ୍ କମାଇବା ଦରକାର ବୋଲି ଦାବି କରିଛନ୍ତି।

ତିଅଣର ସୁଆଦ ବିଗାଡ଼ୁଛି ଖାଇବା ତେଲର ବର୍ଦ୍ଧିତ ଦର। ଓଡ଼ିଆଣୀଙ୍କ ରୋଷେଇ ଘରେ ତେଲ ନଥିଲେ ନଚଳେ। ତେଣୁ ଦର ବଢିବା ଦେଖି ସେମାନଙ୍କ ଚିନ୍ତା ବି ବଢ଼ୁଛି। ଆଉ ଆମିଷ ପ୍ରେମୀଙ୍କ ଦୁଃଖ ତ ନକହିବା ଭଲ। ସୋରିଷ, ସୋୟାବିନ୍, ସୂର୍ଯ୍ୟମୁଖୀଠୁ ଚିନାବାଦାମ, ପାମୋଲିନ୍ ଯାଏଁ ସବୁ ପ୍ରକାର ତେଲ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ମହଙ୍ଗା ହେବାରେ ଲାଗିଛି। ଆଜି କଟକ ମାଲଗୋଦାମରେ ସୋରିଷ ତେଲ ଲିଟର ୧୪୦ରୁ ୧୪୫ ଟଙ୍କା, ସୂର୍ଯ୍ୟମୁଖୀ ୧୫୦ରୁ ୧୫୫ ଟଙ୍କା ଓ ପାମୋଲିନ୍ ୧୦୫ରୁ ୧୧୦ ଟଙ୍କା ଭିତରେ ରହିଛି।

ପାମୋଲିନର ଏତେ ଦର ପୂର୍ବରୁ କେବେ ଦେଖିନଥିବା କହିଛନ୍ତି କଟକ ମହାନଗର ବ୍ୟବସାୟୀ ସଂଘ। ସାଧାରଣ ସଂପାଦକ ଏଭଳି ତେଲ ଦର ବୃଦ୍ଧି ଜାରି ରହିଲେ କେବଳ ଖାଉଟି ନୁହନ୍ତି, ବ୍ୟବସାୟୀ ବି ବହୁଳ ଭାବେ ପ୍ରଭାବିତ ହେବେ ବୋଲି ସେ ଆଶଙ୍କା କରିଛନ୍ତି।

ସେପଟେ କଟକର ଜଣେ ଗୃହିଣୀ କହିଛନ୍ତି ଯେ, ତେଲର ଦର ଏମିତି ଭାବରେ ବଢିଲେ ଆମେ କରିବୁ କଣ? ଯେମିତି ହେଲେ ତ ରୋଷେଇ କରିବାକୁ ପଡିବ। ଆଉ କଣ ବିନା ତେଲରେ ନୁଖୁରା ଖାଇବୁ କି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି। ଆଗ ଅପେକ୍ଷା ଆମେ କମ ତେଲ ବ୍ୟବହାର କରୁଛୁ। କିନ୍ତୁ ଯେତେ କମ ହେଲେ ବି ଦର ତ ଉଚ୍ଚା ରହିଛି। ତେଣୁ ଏହା ନିଶ୍ଚିତ ଆମକୁ ବାଧିବ।

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟର ପ୍ରାଇସ୍ ମନିଟରିଂ ସେଲ୍ ତଥ୍ୟ ଅନୁସାରେ, ଜାତୀୟ ସ୍ତରରେ ଗଲା ବର୍ଷେ ଭିତରେ ଖାଇବା ତେଲର ଦର ୨୫ରୁ ୫୦ ପ୍ରତିଶତ ବଢ଼ିଛି। ଗତବର୍ଷ ମାର୍ଚ୍ଚରେ ପ୍ୟାକେ୍ଡ ସୋରିଷ ତେଲ ଦର ଲିଟର ପ୍ରତି ୧୧୩ ଟଙ୍କା ଥିବା ବେଳେ, ଏବେ ତାହା ୧୪୦ ଟଙ୍କାକୁ ବଢ଼ିଛି। ସେହିପରି ସୂର୍ଯ୍ୟମୁଖୀ ୧୧୦ରୁ ୧୫୦, ପାମ୍ ଅଏଲ୍ ୮୫ରୁ ୧୨୨, ଚିନାବାଦାମ ତେଲ ୧୨୦ରୁ ୧୭୦ ଓ ବନସ୍ପତି ଦର ୮୦ରୁ ୧୨୦ ଟଙ୍କାକୁ ବଢ଼ିଛି।

ସେପଟେ ସୁଧାକର ପଣ୍ଡା କହିଛନ୍ତି ୬ ମାସ ତଳେ ଖାଇବା ତେଲର ଯେଉଁ ଦାମ ଥିଲା? ତାହା ଆଜିକା ସମୟରେ ପ୍ରାୟତଃ ଡବଲ ରେଟ୍‌ ହୋଇଯାଇଛି। ଆମ ଦେଶରେ କେମିତି ତୈଳଜାତ ସାମଗ୍ରୀ ଅଧିକ ପରିମାଣରେ ହୋଇପାରିବ, ସରକାର ସେଥିପ୍ରତି ଦୃଷ୍ଟି ଦେବା ଦରକାର।

ସେପଟେ ଆମ ରାଜ୍ୟରେ ତେଲ ଦର ୬ ମାସ ଭିତରେ ପ୍ରାୟ ୨ଗୁଣ ବଢ଼ିଥିବା କହିଛି ରାଜ୍ୟ ବ୍ୟବସାୟୀ ସଂଘ। ହେଲେ କାହିଁକି ଖାଇବା ତେଲର ଏଭଳି ଆଶାତୀତ ଦରବୃଦ୍ଧି? ଏଥିରେ କେମିତି ଲାଗିବ ଲଗାମ୍? ଏନେଇ ସଂଘର ସାଧାରଣ ସଂପାଦକ କହିଛନ୍ତି, ଖାଇବା ତେଲ ପାଇଁ ଭାରତ ବହୁଳ ଭାବେ ବିଦେଶ ଉପରେ ନିର୍ଭରଶୀଳ। ଅନ୍ତର୍ଜାତୀୟ ସ୍ତରରେ ଖାଇବା ତେଲ ଦର ବୃଦ୍ଧିର ପ୍ରଭାବ ଭାରତ ଉପରେ ପଡ଼ୁଛି।

ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ସାଙ୍ଗକୁ ଖାଇବା ତେଲ ଦର ବୃଦ୍ଧି ଏବେ ପ୍ରାୟ ସବୁ ଘରର ବଜେଟକୁ ବିଗାଡ଼ିଦେଇଛି। ତେବେ ଦେଖାଯାଉ କେବେ କମୁଛି ଖାଇବା ତେଲର ଦାମ?

ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଓ କଟକରୁ ପ୍ରଭାତ ବିଷୋୟୀଙ୍କ ରିପୋର୍ଟ

You might also like