ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋର ବେହେରା ଢାବା। ଆଉ କଟକ ଗୋପାଳପୁରର ବିଜୟ ଢାବା ସହରରେ ପ୍ରାୟତଃ ପରିଚିତ।ପୂର୍ବରୁ ହରଦମ ଗହଳି ଲାଗୁଥିବା ଦ୍ୱୈତନଗରୀର ଏ ଢାବା ଦୁଇଟି ଏବେ ଖାଁ ଖାଁ। ତନ୍ଦୁରୀ, ମଟନ ଓ ମୁଡ଼ିଘାଣ୍ଟ ପାଇଁ ବେଶ୍ ନାଁ କମାଇଥିବା ବେହେରା ଢାବାର ତ ତନ୍ଦୁର ଭାଟିରେ ତ ବର୍ଷେ ହେଲା ନିଆଁ ଲାଗିନି। ହଣ୍ଡାରେ ଧୂଳି ଜମିଗଲାଣି। ୫୦ରୁ ଅଧିକ ଆଇଟମ୍ ହେଉଥିବା ଏହି ଢାବାରେ ଏବେ ଅତି ବେଶିରେ ୬-୭ଟି ଆଇଟମ ବନୁଛି। କର୍ମଚାରୀ ସଂଖ୍ୟା ବି ୫୦ରୁ ଖସି ୨୨ରେ। କଟକଣା ପାଇଁ ବସି ଖାଇବାର ସୁଯୋଗ ନଥିବାରୁ ଗ୍ରାହକ ଗୋଟିଏ ଦିଟା ଆଇଟମ୍ର ପାର୍ସଲ ଧରି ପଳାଉଛନ୍ତି।
ସେହିପରି ୧୨୦ ଷ୍ଟାଫ୍ରେ ଚାଲୁଥିବା ବିଜୟ ଢାବା ଏବେ ମାତ୍ର ୧୮ ଜଣରେ ଚାଲିଛି। ଯେଉଁଠି ଖାଇବାକୁ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ଜମୁଥିଲା, ସେଠି ଏବେ ୩୦ରୁ ୪୦ ପାର୍ସଲରେ ସୀମିତ ରହୁଛି ବେପାର। ଏନ୍ଏଚ୍ରେ ଚାଲୁଥିବା ଟ୍ରକ୍ ଭରସାରେ ଢାବା ଖୋଲୁଥିଲେ ବି ବହୁ ଡ୍ରାଇଭର, ହେଲ୍ପର ନିଜେ ରୋଷେଇ କରି ଖାଉଛନ୍ତି।
କଙ୍କଡ଼ା ଓ ଚିଙ୍ଗୁଡ଼ି ପାଇଁ ପ୍ରସିଦ୍ଧ ବାଲୁଗାଁର ଚିଲିକା ଢାବା ବି ସଙ୍କଟରେ। ଏଇ ଢାବାର କଙ୍କଡ଼ା, ଚିଙ୍ଗୁଡ଼ି ଝୋଳ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଗ୍ରାହକ। ହେଲେ ଏବେ ଗ୍ରାହକଙ୍କ ଆଗମନକୁ ଅପେକ୍ଷା କରି ବସିଛନ୍ତି ଢାବାର କର୍ମଚାରୀ। ୧୬ ନମ୍ବର ଜାତୀୟ ରାଜପଥରେ ଯାଜପୁର ପାଣିକୋଇଲି ଟୋଲଗେଟ୍ ପାଖ ପ୍ରସିଦ୍ଧ ଓଡ଼ିଆଣୀ ଢାବାର ଦୁଃସ୍ଥିତି ବି କହିଲେ ନ ସରେ। ଢାବା ଚାଲୁ ନ ଥିବାରୁ ଯେଉଁଠି ଏଠି ଦିନେ ୨୦ କର୍ମଚାରୀ କାମ କରୁଥିଲେ, ଏବେ ସେଠି ୩ ଜଣରେ କାମ ଚଳୁଛି।
ଓଡ଼ିଶାର ଏନ୍ଏଚ୍ ଓ ରାଜ୍ୟ ସଡ଼କ କଡ଼ରେ ପାଖାପାଖି ହଜାରେ ଢାବା ଅଛି। ଏସବୁ ଢାବା ଉପରେ ନିର୍ଭର କରି ଜୀବନ ବିତାଉଛନ୍ତି ୪୦ରୁ ୫୦ ହଜାର କର୍ମଚାରୀଙ୍କ ପରିବାର। ଏବେ ସମସ୍ତଙ୍କ ଅପେକ୍ଷା- କେବେ ଯିବ ଏ କାଳ ମହାମାରୀ। କେବେ ଢାବାରେ ବସି ପୁଣି ଖାଇବା ଅର୍ଡର ଦେବେ ଲୋକେ, ପୁଣି କେବେ ଦାଉ ଦାଉ ଜଳିବ ତନ୍ଦୁର ଭାଟି।
ବାଲୁଗଁାରୁ ଶକ୍ତି ପ୍ରସାଦ ମହାପାତ୍ର, ଯାଜପୁରରୁ ଅଭୟ ପତି, କଟକରୁ ବିଶ୍ୱଜିତ ଅାଚାଯର୍ୟଙ୍କ ସହ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି